October 7, 2026

Now Odisha

Now Odisha

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ |

Spread the love

ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ ସମେତ ସମ୍ପୂର୍ଣ୍ଣ ଏନ୍‌ସିଆର୍‌ ଅଞ୍ଚଳରେ ହଠାତ୍ ଘରଦ୍ୱାର ଓ ଆସବାବପତ୍ର ହଲିବାକୁ ଲାଗିବାରୁ ଭୟଭୀତ ଲୋକେ ନିଜ ନିଜ ଘରୁ ବାହାରି ଆସି ରାସ୍ତାରେ ଏକାଠି ହୋଇଥିଲେ। କିଛି ସମୟ ପାଇଁ ଆଫ୍ରାତଫ୍ରି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଖାଡୁନ୍ ଲାଗା ଗ୍ୱାଲିଠାରୁ ୨୨ କିଲୋମିଟର ଦୂରରେ ଥିଲା। ଏହା ବ୍ୟତୀତ ଉତ୍ତରାଖଣ୍ଡର ଉତ୍ତରକାଶୀରେ ମଧ୍ୟ ୪.୪ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି। ଉତ୍ତରାଖଣ୍ଡର ସମସ୍ତ ଜିଲ୍ଲା ସମେତ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ମେରଠ, ଗାଜିଆବାଦ ଓ ନୋଏଡ଼ା ପରି ବହୁତଳ ପ୍ରାସାଦ ବିଶିଷ୍ଟ ଆବାସିକ ଅଞ୍ଚଳରେ ଭୂକମ୍ପର ଝଟ୍‌କା ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିଲା। ଅନ୍ୟପକ୍ଷରେ, ଆଫଗାନିସ୍ତାନରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଅନ୍ୟ ଏକ ଝଟ୍‌‌କାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୧ ମାପ କରାଯାଇଛି।

ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଏହି କମ୍ପନ ଅନୁଭୂତ ହୋଇଥିବାରୁ ବିଶେଷ କରି ଉଚ୍ଚା କୋଠାବାଡ଼ିରେ ରହୁଥିବା ଲୋକମାନେ ଅଧିକ ଆତଙ୍କିତ ହୋଇପଡ଼ିଥିଲେ। ପ୍ରକାଶଥାଉ କି, ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳ ଭୂକମ୍ପ ଦୃଷ୍ଟିରୁ ବେଶ୍‌ ସମ୍ବେଦନଶୀଳ। ନାସନାଲ ସେଣ୍ଟର ଫର ସିସ୍‌ମୋଲୋଜି (NCS) ଅନୁଯାୟୀ ଦିଲ୍ଲୀକୁ ‘ସିସ୍‌ମିକ୍ ଜୋନ୍-୪’ରେ ରଖାଯାଇଛି, ଯାହା ଭୂକମ୍ପ ପାଇଁ ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ଅଟେ।

ଅକ୍ଟୋବର ୬ ତାରିଖରେ ଦେଶର ବିଭିନ୍ନ ଭାଗରେ ଏହିପରି କ୍ରମାଗତ କମ୍ପନ ରେକର୍ଡ କରାଯାଇଛି। NCS ସୂଚନା ଅନୁଯାୟୀ, ବର୍ତ୍ତମାନ ସବୁଠି ପରିସ୍ଥିତି ସ୍ୱାଭାବିକ ରହିଛି ଏବଂ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ଖବର ମିଳିନାହିଁ।

error: Content is protected !!