Spread the love

ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦୁର୍ଗାପୂଜା ଅବସରରେ ବିଭିନ୍ନ ପୂଜାମଣ୍ଡପରେ ଭକ୍ତ ଓ ଦର୍ଶକଙ୍କ ପ୍ରବଳ ଭିଡ଼ ଜମୁଛି। ମା’ଙ୍କ ଦର୍ଶନ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଲୋକଙ୍କ ସମାଗମ ବଢ଼ୁଥିବାବେଳେ ରାସ୍ତା ଅବରୋଧ ଓ ଟ୍ରାଫିକ ସମସ୍ୟା ଜନସାଧାରଣଙ୍କ ଦୁର୍ଦ୍ଦଶା ବଢ଼ାଇଛି। ବିଶେଷକରି ଜଳସମ୍ପଦ ବିଭାଗ ଓ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କ ଯାତାୟାତ ସୁବିଧାକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଇ ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସହରର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଦୁର୍ଗାପୂଜା ମଣ୍ଡପ ହୋଇଥିବା ବେଳେ ଏହାର ସମ୍ମୁଖ ମୁଖ୍ୟ ରାସ୍ତା କଡ଼ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଫଳରେ ଦର୍ଶକମାନେ ରାସ୍ତା ଉପରେ ବସି କାର୍ଯ୍ୟକ୍ରମ ଉପଭୋଗ କରୁଥିବାରୁ ମୁଖ୍ୟ ସଡ଼କର ଅଧାରୁ ଅଧିକ ଅଂଶ ଅବରୋଧ ହେଉଛି। ଏଥିଯୋଗୁ ଯାନବାହନ ଚଳାଚଳ ସହ ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ହିଁ ହଇରାଣ ହେଉଛି।
ଅନ୍ୟପକ୍ଷରେ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଭଞ୍ଜ ମାର୍ଗକୁ ଅବରୋଧ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ର୍ନିମାଣ କରାଯାଇଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଥିବାରୁ ଲୋକଙ୍କୁ ବିକଳ୍ପ ରାସ୍ତାରେ ଯିବାକୁ ପଡ଼ୁଛି। ଏହାଦ୍ୱାରା ଅନ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଟ୍ରାଫିକ ଚାପ ବଢ଼ୁଛି। ରେଡକ୍ରସ ରୋଡ୍ର ଓସାର କମ ଥିବାରୁ ସେଠାରେ ଯାତାୟାତ ସମସ୍ୟା ଅଧିକ ଜଟିଳ ହେଉଛି। ତେବେ ବସଷ୍ଟାଣ୍ଡ ଅଞ୍ଚଳରେ ସେଭଳି ବିଶେଷ ଅସୁବିଧା ଦେଖାଯାଉନଥିବା ଜଣାପଡ଼ିଛି।
ଜଳସମ୍ପଦ ବିଭାଗ ପକ୍ଷରୁ ପୂଜା ଅବସରରେ ମୁଖ୍ୟ ସଡ଼କରେ ଚାରିଚକିଆ ଯାନ ଚଳାଚଳ ବନ୍ଦ କରାଯାଇ ବିକଳ୍ପ ରାସ୍ତାରେ ଗାଡ଼ି ଛଡ଼ାଯାଉଛି। ହେଲେ ଏହି ବ୍ୟବସ୍ଥା ଯୋଗୁ ବିକଳ୍ପ ରାସ୍ତାଗୁଡ଼ିକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପୂଜା ଆୟୋଜନ ସମୟରେ ଲୋକଙ୍କ ସୁରକ୍ଷା, ଯାତାୟାତ ଓ ଜରୁରୀକାଳୀନ ଯାନବାହନ ଚଳାଚଳ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ହୋଇପଡ଼ିଛି।
ଗତ ଠାକୁରାଣୀ ଯାତ୍ରା ସମୟରେ ମୁଖ୍ୟ ସଡ଼କରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଟ୍ରାଫିକ ସମସ୍ୟା ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପୁରୁଣା ଜେଲ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ହଜାର ହଜାର ଲୋକ ସୁବିଧାରେ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା ହ୍ରାସ ପାଇଥିଲା। ବିଧାୟକଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା।
ଭଞ୍ଜ ସାହିତ୍ୟ ପରିଷଦ ପୁରୁଣା ଜେଲ ପରିସରକୁ ଲାଗି ରହିଥିବାରୁ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାର ବର୍ତ୍ତମାନ ବିକଳ୍ପ ରହିଥିଲା । ଏହା ସତ୍ତ୍ୱେ ଭଞ୍ଜ ମାର୍ଗକୁ ଅବରୋଧ କରି କାହିଁକି ମଞ୍ଚ ନିର୍ମାଣ କରାଗଲା, ସେନେଇ ପ୍ରଶ୍ନ ଉଠିଛି।
ସେହିପରି ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟରେ ସୱାସ୍ଥ୍ୟ ବିଭାଗର ଏକ ପଡ଼ିଆ ରହିଛି। ଗତ ଠାକୁରାଣୀ ଯାତ୍ରା ସମୟରେ ଏହି ପଡ଼ିଆରେ ରାମଦୋଳି ଲାଗିଥିଲା। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଆୟୋଜନ କରାଯାଇଥିଲେ ମୁଖ୍ୟ ରାସ୍ତା ଅବରୋଧ ଓ ଟ୍ରାଫିକ ସମସ୍ୟାକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି କିଛି ସ୍ଥାନୀୟ ଲୋକ ମତ ଦେଇଛନ୍ତି। ଦୁର୍ଗାପୂଜା ଭଳି ଏକ ଗଣପର୍ବରେ ମା’ଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ଲୋକଙ୍କ ଅଧିକାର। କିନ୍ତୁ ଏଥିପାଇଁ ସାଧାରଣ ଜନଜୀବନ ଓ ଯାତାୟାତକୁ ବାଧାପ୍ରାପ୍ତ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ପୂଜା କମିଟି ଓ ସମ୍ପୃକ୍ତ ବିଭାଗଗୁଡ଼ିକ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭବିଷ୍ୟତରେ ଉପଯୁକ୍ତ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ଏବଂ ଟ୍ରାଫିକ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

error: Content is protected !!