March 21, 2026

Now Odisha

Now Odisha

ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ନିଷ୍ପତ୍ତି ନେବେ ।

Spread the love

ବିଜେଡିର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ନିଷ୍ପତ୍ତି ନେବେ । ଭିକେ ପାଣ୍ଡିଆନ ବିଜେଡିର ରାଜନୀତି ବ୍ୟାପାରରେ ଜଡ଼ିତ ନାହାନ୍ତି” । ଏହି ଦୁଇପଦ କଥା ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ମାତ୍ର ନବୀନଙ୍କ ଅସୁସ୍ଥତା ଓ ସାଂଗଠନିକ କାର୍ଯ୍ୟରେ ନିଷ୍କ୍ରିୟତା ଯୋଗୁ ସମ୍ଭବତଃ ତାଙ୍କର ଏହି ଦୁଇପଦ କଥା ଏବେ ପ୍ରଭାବହୀନ ହୋଇପଡ଼ିଛି । ୨୪ବର୍ଷର କ୍ଷମତାର ପତନ ପାଣ୍ଡିଆନଙ୍କ ଯୋଗୁ ହେଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ଏବେବି ଥମି ନଥିଲେ ମଧ୍ୟ ବିଗତ ୨-୩ଦିନ ଧରି ତାଙ୍କ ସପକ୍ଷରେ ଗଣମାଧ୍ୟମରେ ଯେଭଳି ଢଙ୍ଗରେ ଦଳର ନେତାମାନେ ଓକିଲାତି କରିବାରେ ଲାଗିଛନ୍ତି, ତାହା ପରୋକ୍ଷରେ ପାଣ୍ଡିଆନ ହିଁ ‘ବିଜେଡିର ନୂଆ ସୁପ୍ରିମୋ’ ବୋଲି ସନ୍ଦେଶ ଦେବାର ପ୍ରୟାସ ଓ ରଣନୀତିର ଅଂଶବିଶେଷ ପାଲଟିଥିବା ଜଣାପଡ଼ିଛି ।
ନବୀନ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରି ଫେରିବା ପରେ ଦଳର ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ଓ ଏବେ ସମ୍ ହସ୍ପିଟାଲରୁ ଫେରିବା ପରେ ବିଜେଡିର ଆଗଧାଡ଼ିର ଜଣକପରେ ଜଣେ ନେତାମାନେ ଯେଭଳି ବୟାନବାଜି କରୁଛନ୍ତି ତାହା ‘ବିଜେଡିର ଉତ୍ତରାଧିକାରୀ- ପାଣ୍ଡିଆନ’ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସମ୍ ହସ୍ପିଟାଲରୁ ଡିସଚାର୍ଜ ହେବାବେଳେ ପାଣ୍ଡିଆନଙ୍କ ଖାସ୍ ସହଯୋଗୀ(ଅଣରାଜନୀତିକ ବ୍ୟକ୍ତି)ମାନଙ୍କ ଗହଣରେ ନବୀନ ବାହାରକୁ ଆସି ପାଣ୍ଡିଆନଙ୍କ ହାତ ଧରି କ୍ୟାମେରାକୁ ଫଟୋ ପୋଜ୍ ଦେବା ମଧ୍ୟ ବିଜେଡି ନେତାମାନଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଥିବା ଜଣାପଡ଼ିଛି ।
ନବୀନଙ୍କ ନିରବତା ଓ ପାଣ୍ଡିଆନଙ୍କ ହାଇଜ୍ୟାକ୍
ବିଜେଡି ବ୍ୟାପାରରେ ପାଣ୍ଡିଆନ ସମ୍ପୃକ୍ତ ନାହାନ୍ତି ବୋଲି ନବୀନ ନିଜେ ୨୦୨୫ ଏପ୍ରିଲ ମାସରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହାପୂର୍ବରୁ ୨୦୨୪ ନିର୍ବାଚନବେଳେ ମେ ୩୦ ଓ ଜୁନ୍ ୭ତାରିଖରେ ଦୁଇଥର ଗଣମାଧ୍ୟମକୁ ସୂଚନା ଦେଇ ବିଜେଡିର ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ଓ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ମାତ୍ର ଏସବୁ ସତ୍ତ୍ୱେ ପାଣ୍ଡିଆନ ଉଭୟ ବିଜେଡି ଓ ନବୀନଙ୍କ ଅଘୋଷିତ ଉତ୍ତରାଧିକାରୀ ପାଲଟିଛନ୍ତି । ବିଗତ କିଛିମାସ ଧରି ନବୀନ ବି ନିରବ ରହି ବେଶ୍ ଚତୁରତାର ସହ ଗୋଟି ଚଳାଇ ପାଣ୍ଡିଆନଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଓଡ଼ିଶାବାସୀଙ୍କ ପାଖରେ ରଖିବାକୁ ପ୍ରୟାସ ଚଳାଇଛନ୍ତି । ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରୁନଥିବା ମଧ୍ୟ ଜଣାପଡ଼ିଛି । ରାଜନୀତିରେ ମହତ୍ୱାକାଂକ୍ଷା ରଖି ଫେଲ୍ ମାରିଥିବା ପାଣ୍ଡିଆନ ବି ଏହି ସୁଯୋଗରେ ଉଭୟ ବିଜେଡି ସଂଗଠନର ନିୟନ୍ତ୍ରଣକୁ ହାଇଜ୍ୟାକ୍ କରିନେଇଥିବା ଚର୍ଚ୍ଚା ହେଉଛି । ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ ଏବଂ କ୍ଷମା ମାଗିଥିଲେ । କିନ୍ତୁ ଏହା କେବଳ ଏକ ଚାଲ୍ ବୋଲି ଏବେ ପ୍ରମାଣିତ ହେଲାଣି । ପରଦା ପଛରେ ରହି ସେ ଏବେବି ସମସ୍ତ ନିଷ୍ପତ୍ତି ନେଉଛନ୍ତି । ୱକଫ୍ ବିଲ୍ ହେଉ ଅବା ଅପରେସନ୍ ସିନ୍ଦୁର ଆଲୋଚନା ଅବା ସମ୍ ହସ୍ପିଟାଲରେ ଦଳର ବରିଷ୍ଠ ନେତାମାନଙ୍କୁ ଖୋଲାଖୋଲି ଧମକ ଦେବା ଆଦି ସବୁ ଘଟଣାରୁ ବିଜେଡିର ସେ ହିଁ ପ୍ରକୃତ ସୁପ୍ରିମୋ ବୋଲି ସ୍ପଷ୍ଟ ସନ୍ଦେଶ ଦେବାକୁ ପଛାଇ ନାହାନ୍ତି ।
ବିଜେଡି ନେତାଙ୍କ ଅସହାୟତା ଓ ୟୁ-ଟର୍ଣ୍ଣ
ପାଣ୍ଡିଆନ ବିଜେଡିର କ୍ଷମତାକେନ୍ଦ୍ର ବା ସର୍ବେସର୍ବା ନୂଆ କଥା ନୁହେଁ । ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ସ୍ୱୀକାର କରିବା ଛଡ଼ା ବିକଳ୍ପ ମଧ୍ୟ ବିଜେଡି ନେତାମାନଙ୍କ ପାଖରେ ନଥିଲା । ଏପରିକି ପାଣ୍ଡିଆନଙ୍କ ସହ ପଦେ କଥା ହେବା ବି ଖୁବକମ୍ ବିଜେଡି ନେତାଙ୍କ ଭାଗ୍ୟରେ ଜୁଟୁଥିଲା । କିଏ ନିଜକୁ ତାଙ୍କର କ୍ରୀତଦାସ ବୋଲି ଖୋଲାଖୋଲି କହୁଥିଲେ ତ କିଏ କ୍ୟାବିନେଟ୍ ମନ୍ତ୍ରୀ ପଦରେ ଥାଇ ମଧ୍ୟ ତାଙ୍କ ଗାଡ଼ି ଆଗରେ ଟ୍ରାଫିକ ପୁଲିସ ଦାୟିତ୍ୱ ମଧ୍ୟ ତୁଲାଉଥିଲେ । କିନ୍ତୁ ବିଜେଡି କ୍ଷମତାଚ୍ୟୁତ ହେବାପରେ ସେସବୁରେ ପୂର୍ଣ୍ଣଚ୍ଛେଦ ପଡ଼ି ଯାଇଥିଲା । ଏବେ ୧୪ମାସ ପରେ ପାଣ୍ଡିଆନଙ୍କ ସ୍ତୃତି ଗାନ ପୁଣି ଆରମ୍ଭ ହୋଇଛି । ଦଳୀୟ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହେଲାଣି ।
ପାଣ୍ଡିଆନଙ୍କ ସମ୍ପର୍କରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଖୋଲାଖୋଲି ବିରୋଧ କରିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ,ଅତନୁ ସବ୍ୟସାଚୀ ନାୟକ ଓ ରାଜେନ୍ଦ୍ର ସାହୁ । ଗଣମାଧ୍ୟମ କାହିଁକି ପାଣ୍ଡିଆନଙ୍କ ପଛରେ ପଡ଼ିଛି ବୋଲି ଏହି ନେତାମାନେ ପ୍ରଶ୍ନ କରିବାକୁ ପଛାଇନାହାନ୍ତି । ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜନୀତିରେ ସକ୍ରିୟ ପ୍ରମିଳା କହିଛନ୍ତି ଯେ, “ ନବୀନବାବୁ କାହାକୁ ଘରେ ରଖିବେ କାହା ଉପରେ ନିର୍ଭରଶୀଳ ହେବ ତାହା କ’ଣ ମିଡିଆ ନା ଆଉ କେହି ନିଷ୍ପତ୍ତି ନେବେ କି? ପାଣ୍ଡିଆନଙ୍କ ପଛରେ କାହିଁକି ପଡ଼ିଛ? ଅଣଓଡ଼ିଆ ଲୋକ କ’ଣ ଆଉ କେଉଁଠି ନାହାନ୍ତି? ବୋଲି କହିବା ସହ ପାଣ୍ଡିଆନ ହିଁ ନବୀନଙ୍କ ସହ ରହିବେ ବୋଲି ପରୋକ୍ଷରେ ସ୍ପଷ୍ଟ କରିଦେଇଛନ୍ତି ।
ସେହିପରି ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାକେନ୍ଦ୍ରଙ୍କ ଖାସ୍ ଥିବା ଅତନୁ ମଧ୍ୟ ଗତକାଲି ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କରିଛନ୍ତି । ନବୀନ ନିବାସରେ ନିଜର ଅନୁଗତଙ୍କୁ ଧରି ନବୀନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅତନୁ ଯୁକ୍ତି ବାଢ଼ିଛନ୍ତି ଯେ “ପାଣ୍ଡିଆନ ଦମ୍ପତି ଯଦି ପୁଅ-ଝିଅ ଭଳି ନବୀନଙ୍କ ସେବା କରୁଛନ୍ତି ସେଥିରେ ଅନ୍ୟମାନେ କାହିଁକି ବ୍ୟସ୍ତବିବ୍ରତ ହେଉଛନ୍ତି । ନବୀନବାବୁ ଆମ ନେତା, ତାଙ୍କର କାର୍ଯ୍ୟ ପାଣ୍ଡିଆନ କରୁଥିବାରୁ ସେ ତାଙ୍କୁ ଧନ୍ୟବାଦ ଦେବାକୁ ପଛାଇନାହାନ୍ତି ।” ସେହିପରି ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଦୁଇପାଦ ଆଗକୁ ଯାଇ କହିଛନ୍ତି ଯେ “ପାଣ୍ଡିଆନଙ୍କ ନାଁ ଶୁଣିଲେ କିଛି ଲୋକ ଭୟଭୀତ ହୋଇ ଏଭଳି ବିରୋଧ କରୁଛନ୍ତି । ଯଦି ପାଣ୍ଡିଆନ ଠିକ୍ ସେ କାର୍ଯ୍ୟକ୍ରମ ଆରମ୍ଭ କରିବେ ତା’ହେଲେ ବିଜେପିର ଖାତା ରହିବ ନାହିଁ ।”

error: Content is protected !!