February 9, 2026

Now Odisha

Now Odisha

କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ମାଙ୍ଗାଲୁରୁ ଗାଁରେ ରବିବାର ଅପରାହ୍ନରେ ଏକ ଦୁଇଟି ସିଟ୍ ବିଶିଷ୍ଟ ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି।

Spread the love

କର୍ଣ୍ଣାଟକାର ବିଜୟପୁରା ଜିଲ୍ଲାର ମାଙ୍ଗାଲୁରୁ ଗାଁରେ ରବିବାର ଅପରାହ୍ନରେ ଏକ ଦୁଇଟି ସିଟ୍ ବିଶିଷ୍ଟ ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଚାଷ ଜମିରେ ଖସି ପଡ଼ିଥିଲା। ଏଥିରେ ବିମାନର କ୍ୟାପଟେନ କୁନାଲ ମାଲହୋତ୍ରା ଓ ଟ୍ରେନି ପାଇଲଟ ଗୌତମ ଶଙ୍କର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରେଡ୍‌ ବାର୍ଡ ଆଭିଏସନର ଏହି ଟ୍ରେନି ଏୟାରକ୍ରାଫ୍ଟଟି କାଲାବୁରାଗିରୁ ବେଲାଗାବିକୁ ଯାଉଥିଲା। ମାଙ୍ଗାଲୁରୁ ଗାଁରେ ଚାଷ ଜମିରେ ଏହା ଖସି ପଡ଼ିବା ପରେ ଗାଁ ଲୋକେ ସେଠାକୁ ଧାଇଁ ଯାଇଥିଲେ। ସେମାନଙ୍କ ସୂଚନା ଅନୁଯାୟୀ, ସେମାନେ ପହଞ୍ଚିଲା ବେଳକୁ ଟ୍ରେନି ପାଇଲଟ ଜଣଙ୍କ ବିମାନ ପାଖରେ ଶୋଇ ରହିଥିଲେ। ପାଇଲଟ ଜଣଙ୍କ ଛିଡ଼ା ହୋଇଥିଲେ। ଆମ୍ବୁଲାନ୍ସ ଡକା ଯାଇ ସେମାନଙ୍କୁ ଡାକ୍ତରଖାନା ପଠା ଯାଇଥିଲା।
ବିମାନଟି ଚାଷ ଜମିରେ ପଡ଼ିବା ପରେ ଏହାର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଥିଲା। ଘଟଣା ସଂପର୍କରେ ସୂଚନା ପାଇବା ପରେ ବାବଲେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଇଞ୍ଜିନରେ ବୈଷୟିକ ତ୍ରୁଟି ଯୋଗୁ ବିମାନଟି ଖସି ପଡ଼ିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗତମାସରେ ଏକ ଛୋଟ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ତା’ ପୂର୍ବରୁ ଓଡ଼ିଶାର ରାଉଲକେଲା ନିକଟରେ ଏକ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ପାଇଲଟଙ୍କ ସମେତ ୫ ଜଣ ଆହତ ହୋଇଥିଲେ।

error: Content is protected !!