ପୁଣେ: ମହାରାଷ୍ଟ୍ରର ପୁଣେସ୍ଥିତ ହିଞ୍ଜେୱାଡି ଅଞ୍ଚଳରେ ଜଣେ ଯୁବ ସଫ୍ଟୱେର୍ ଇଞ୍ଜିନିୟର ନିଜ ଲିଭ୍-ଇନ୍ ସାଥୀଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ସେ ରାତିସାରା ଯୁବତୀଙ୍କ ମୃତଦେହ ପାଖରେ ବସି ରହିଥିଲେ। ସୋମବାର ସକାଳେ ପୁଲିସକୁ ଫୋନ୍ କରି ଆମ୍ବୁଲାନ୍ସ ପଠାଇବାକୁ କହିଥିଲେ। ପୁଲିସ ତାଙ୍କୁ ଗିରଫ କରିଛି।ମୃତ ଯୁବତୀଙ୍କ ନାମ କୋମଲ ରାଜେନ୍ଦ୍ର ଡାହାକେ (୨୭)। ସେ ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାର ବାସିନ୍ଦା ଏବଂ ପୁଣେରେ ଥିବା ଏକ ଆଇଟି କମ୍ପାନି ୱିପ୍ରୋରେ କାମ କରୁଥିଲେ। ଅଭିଯୁକ୍ତ ଶୁଭମ୍ ଜ୍ଞାନେଶ୍ୱର କଲବଣ୍ଡେ (୩୦) ଇନ୍ଫୋସିସ୍ରେ ସଫ୍ଟୱେର୍ ଇଞ୍ଜିନିୟର ଥିଲେ। ସେ ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାର ବାସିନ୍ଦା। ଉଭୟ ପ୍ରାୟ ସାଢ଼େ ତିନି ବର୍ଷ ଧରି ସମ୍ପର୍କରେ ଥିଲେ ଏବଂ ବିବାହ କରିବାକୁ ଯୋଜନା କରୁଥିଲେ। ସେମାନଙ୍କ ସମ୍ପର୍କ ବିଷୟରେ ଉଭୟ ପରିବାର ମଧ୍ୟ ଜାଣିଥିଲେ।
ପୁଲିସ ସୂଚନା ଅନୁସାରେ, କୋମଲ ପୁଣେର ହିଞ୍ଜେୱାଡିସ୍ଥିତ ସାଖାରେ ୱସ୍ତି ଅଞ୍ଚଳର ପ୍ରିଷ୍ଟିନ୍ ପେଇଂ ଗେଷ୍ଟ୍ (ପିଜି)ରେ ରହୁଥିଲେ। ରବିବାର ରାତିରେ ଉଭୟ ଏକ ହୋଟେଲରେ ରାତ୍ରିଭୋଜନ କରିବା ପରେ କୋମଲଙ୍କ ରହଣିସ୍ଥଳକୁ ଫେରିଥିଲେ। ସେଠାରେ ରାତି ପ୍ରାୟ ସାଢ଼େ ୧୨ଟାରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପୁଲିସର କହିବା ଅନୁସାରେ, ଶୁଭମ୍ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବା କୋମଲ ସନ୍ଦେହ କରୁଥିଲେ। ଏହି କାରଣରୁ ଗତ ଦୁଇରୁ ତିନି ମାସ ଧରି ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା।
ସୋମବାର ଭୋର୍ ପ୍ରାୟ ୩ଟାରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଅଭିଯୋଗ ଅନୁସାରେ, ଶୁଭମ୍ କୋମଲଙ୍କୁ ମୁଥ ମାରିବା ସହ ମୁଣ୍ଡ ଓ ବେକରେ ଆଘାତ କରିଥିଲେ। ତାଙ୍କ ମୁଣ୍ଡକୁ କାନ୍ଥରେ ମଧ୍ୟ ପିଟି ଦେଇଥିଲେ। ଏଥିରେ କୋମଲଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ କହିଛି। ଘଟଣା ପରେ ଶୁଭମ୍ ତୁରନ୍ତ ପୁଲିସକୁ ଖବର ନ ଦେଇ ରାତିସାରା ମୃତଦେହ ପାଖରେ ବସି ରହିଥିଲେ। ସୋମବାର ସକାଳ ପ୍ରାୟ ୬ଟାରୁ ୬ଟା ୩୦ ମଧ୍ୟରେ ସେ ଜରୁରିକାଳୀନ ନମ୍ବର ୧୧୨କୁ ଫୋନ୍ କରିଥିଲେ। ତାଙ୍କ ସାଙ୍ଗ ଅଚେତ ହୋଇପଡ଼ିଥିବା କହି ଆମ୍ବୁଲାନ୍ସ ପଠାଇବାକୁ ଅନୁରୋଧ କରିଥିଲେ। ପୁଲିସ ପହଞ୍ଚି କୋମଲଙ୍କୁ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ହିଞ୍ଜେୱାଡି ପୁଲିସ ଶୁଭମ୍ଙ୍କୁ ଗିରଫ କରି ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧) ଅନୁସାରେ ହତ୍ୟା ମାମଲା ରୁଜୁ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଛି।
