ଚିକିତ୍ସା ସହାୟତା ଆଳରେ ୧୬ ଲକ୍ଷ ୨୦ ହଜାର ଟଙ୍କା ନେଇ ଫେରସ୍ତ ନକରିବା ସହ ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା ଧମକ ମିଳୁଛି। ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ ନଂ ୮୧୮/୨୦୨୬ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।କୋରକୋରା ଗ୍ରାମର ପ୍ରଭାତ କୁମାର ଜେନାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କଠାରୁ ବାଲେଶ୍ୱର ଜିଲ୍ଲା ବରମାକୁଆ ଗ୍ରାମର ସୁଜିତ କୁମାର ବାରିକ ଚିକିତ୍ସାଜନିତ ଜରୁରୀ ଆବଶ୍ୟକତା ଦର୍ଶାଇ ଅର୍ଥ ସହାୟତା ମାଗିଥିଲେ। ସୁସ୍ଥ ହେବା ପରେ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସୁଜିତଙ୍କ କଥାରେ ବିଶ୍ବାସ କରି ସେ ୟୁପିଆଇ ମାଧ୍ୟମରେ ୧୨ ଲକ୍ଷ ୬ ହଜାର ଟଙ୍କା ଓ ୪ ଲକ୍ଷ ୧୪ ହଜାର ଟଙ୍କା ନଗଦ ଦେଇଥିଲେ। ତେବେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏହି ଟଙ୍କା ଫେରସ୍ତ କରିନଥିବା ଓ ଯୋଗାଯୋଗକୁ ଏଡ଼ାଇ ଚାଲିଥିଲେ। ଏପରିକି ୨୦୨୫ ଜୁଲାଇ ୧୦ ଓ ୧୨ ତାରିଖରେ ଟଙ୍କା ଫେରସ୍ତ ପାଇଁ ନୋଟିସ୍ ପଠାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ଅନ୍ୟପକ୍ଷରେ, ୨୦୨୫ ନଭେମ୍ବର ୧୭ ତାରିଖ ସନ୍ଧ୍ୟାରେ ଆରଡ଼ି ଛକଠାରେ ଅଭିଯୋଗକାରୀ ଟଙ୍କା ଫେରସ୍ତ କଥା ଉଠାଇବାରୁ ଅଭିଯୁକ୍ତ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଏବଂ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିବା ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି।ଏହି ଘଟଣାରେ ପୁଲିସ ବିଏନ୍ଏସ୍ର ୨୯୬, ୩୧୬(୨), ୩୧୮(୪) ଓ ୩୫୧(୨) ଧାରାରେ ମାମଲା ରୁଜୁ କରି ଏଏସ୍ଆଇ ଶ୍ରୀକାନ୍ତ କୁମାର ଜେନାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛି। ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି।
