ଗ୍ୟାସ୍ ଗୋଦାମରୁ ୪୬ଟି ଭର୍ତ୍ତି ସିଲିଣ୍ଡର ଚୋରି ଘଟଣାର ପର୍ଦ୍ଦାଫାସ କରିଛି ମୁନିଗୁଡ଼ା ପୁଲିସ। ଦୀର୍ଘ ଦୁଇ ମାସ ଧରି ତଦନ୍ତ ଜାରି ରଖିବା ପରେ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୪୪ଟି ଚୋରି ସିଲିଣ୍ଡର ଉଦ୍ଧାର କରିଛି। ଏଥିସହ ଚୋରିରେ ବ୍ୟବହୃତ ଏକ ବୋଲେରୋ ମ୍ୟାକ୍ସ ପିକ୍ଅପ୍ ଗାଡ଼ିକୁ ମଧ୍ୟ ଜବତ କରିଛି ମୁନିଗୁଡା ପୁଲିସ। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ନିଖିଲ ଚିଚୁଆନ, ଜେନା ପଲକିଆ, ଆକାଶ ପଲକିଆ, ଚେମା ଗରଡ଼ିଆ ଓ ଘାସିରାମ ବାତ୍ରା I ପୁଲିସର ତ୍ୱରିତ ତଦନ୍ତ ଓ ଯୋଜନାବଦ୍ଧ ଅଭିଯାନ ଯୋଗୁଁ ଦୁଇ ମାସ ତଳର ଏହି ଚୋରି ଘଟଣାର ଗୁମର ଖୋଲିବା ସହ ଅଧିକାଂଶ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରିଛି।ସୂଚନା ଅନୁଯାୟୀ, ରାୟଗଡ଼ାଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୈରବଗଡ଼ସ୍ଥିତ ସୁରେଶ ଜୈନଙ୍କ ଏଚ୍ପି ଗ୍ୟାସ୍ ଗୋଦାମରୁ ଗତ ସେପ୍ଟେମ୍ବର ୧୨ ଓ ୧୩ ତାରିଖ ରାତିରେ ତାଲା ଭାଙ୍ଗି ୪୬ଟି ଭର୍ତ୍ତି ସିଲିଣ୍ଡର ଚୋରି ହୋଇଥିଲା। ଏନେଇ ଗୋଦାମ ମାଲିକଙ୍କ ଅଭିଯୋଗ ପରେ ମୁନିଗୁଡ଼ା ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ନଭେମ୍ବର ୨୪ ତାରିଖରେ ପୁଲିସ ପାଟ୍ରୋଲିଂ ସମୟରେ ଜାମାରାଗୁଡ଼ା ନିକଟରେ ଜଣେ ଯୁବକଙ୍କ ହାତରେ ଗ୍ୟାସ୍ ସିଲିଣ୍ଡର ଦେଖି ସନ୍ଦେହ କରିଥିଲା। ପୁଲିସକୁ ଦେଖି ଯୁବକ ଜଣକ ସିଲିଣ୍ଡର ଛାଡ଼ି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ ତାଙ୍କୁ କାବୁ କରି ପଚରାଉଚରା କରିବା ପରେ ଚୋରି ଘଟଣାର ସୁରାକ୍ ମିଳିଥିଲା।
ଅଭିଯୁକ୍ତ ଧନୁର୍ଜୟ ଓରଫ ନିଖିଲ ଚିଚୁଆଁଙ୍କ ସୂଚନା ଆଧାରରେ ପୁଲିସ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରିଥିଲା। ଜାମାରାଗୁଡ଼ା ନିକଟସ୍ଥ ଏକ ନିଛାଟିଆ ଘରେ ରଖାଯାଇଥିବା ୪୪ଟି ଗ୍ୟାସ୍ ସିଲିଣ୍ଡର ଉଦ୍ଧାର କରାଯିବା ସହ ଚୋରିରେ ବ୍ୟବହୃତ ବୋଲେରୋ ମ୍ୟାକ୍ସ ପିକ୍ଅପ୍ ଗାଡ଼ିକୁ ଜବତ କରାଯାଇଥିଲା। ଚୋରି ହୋଇଥିବା ସିଲିଣ୍ଡର ମଧ୍ୟରୁ କିଛି ବିକ୍ରି କରି ଅଭିଯୁକ୍ତମାନେ ଟଙ୍କା ବାଣ୍ଟି ନେଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ ସୂତ୍ରରୁ ପ୍ରକାଶ।ଗିରଫ ୫ ଅଭିଯୁକ୍ତ ଭୁର୍ଷିଖମାର ଗ୍ରାମର ବାସିନ୍ଦା। ପୁଲିସ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଚୋରି ହୋଇଥିବା ଅବଶିଷ୍ଟ ୨ଟି ସିଲିଣ୍ଡରର ସନ୍ଧାନ ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଅଳ୍ପ ସମୟରେ ଅଭିଯୁକ୍ତଙ୍କ ସୁରାକ୍ ମିଳିବାଠାରୁ ଆରମ୍ଭ କରି ଚୋରି ସାମଗ୍ରୀ ଉଦ୍ଧାର ଓ ଗାଡ଼ି ଜବତ ପର୍ଯ୍ୟନ୍ତ ପୁଲିସର ପଦକ୍ଷେପ ଏହି ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ଆଣିଛି।
