ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ତିଲଡେଗା ପଞ୍ଚାୟତ କାର୍ଯ୍ୟାଳୟ ଛକ ନିକଟରେ ଏକ ମୋଟରସାଇକଲ୍ ଧକ୍କାରେ ସାଇକଲ୍ଚାଳିକା ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୋଟରସାଇକଲ୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ କାନ୍ତି ରୋହିଦାସ (୫୨)।ମିଳିଥିବା ସୂଚନାରେ, ଅପରାହ୍ନ ପ୍ରାୟ ୫ଟା ସମୟରେ କାନ୍ତି ନିଜ ମା’ ଘର ଉଡ଼ାପଡ଼ାରୁ ତିଲଡେଗା ଚମାରପଡ଼ାକୁ ସାଇକଲ୍ ଚଳାଇ ଯାଉଥିଲେ। ବନ୍ଧବାହାଲ ପଟୁ ଆସୁଥିବା ଏକ ମୋଟରସାଇକଲ୍ରେ ( ଓଡି-୧୫ଏଏ-୩୯୦୯) ଧରୁଆଡିହି ଥାନା ସାଲେପାଲି ଅଧୀନ ବିରବିରାର ଅରୁଣ ବାଘ, କରମଡିହିର ଅଜୟ ମାଝୀ ଓ ତିଲଡେଗାର ସୁମନ ଖଡ଼ିଆ, ତିନିହେଁ ଆସୁଥିଲେ।ପଞ୍ଚାୟତ କାର୍ଯ୍ୟାଳୟ ଛକ ନିକଟରେ ସେମାନେ ସାଇକଲ୍ ଚାଳିକାଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ମହିଳା ଓ ବାଇକ୍ ଚାଳକ ଗୁରୁତର ହୋଇଥିଲେ। ବାଇକ୍ ଚାଳକ ଅରୁଣ ବାଘଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ କାନ୍ତିଙ୍କୁ କିଞ୍ଜିରକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରିଥିବାବେଳେ ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏଥିସହ ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଜବତ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
