March 17, 2026

Now Odisha

Now Odisha

ରାଜ୍ୟସଭା ନିର୍ବାଚନ : କିଣା ଘୋଡା କେତେ ଦିନ ଦୌଡିବ କହିଲା ବିଜେଡି

Spread the love

ବିଜେଡି ନେତୃତ୍ବ କହିଛନ୍ତି, “କାଲି ଓଡ଼ିଶା ପାଇଁ କଳା ଦିବସ ଥିଲା। ଘୋଡ଼ା ବେପାର କରି ଏହି ଦିନକୁ ସ୍ମରଣୀୟ କରାଯାଇଛି। କୋଟି କୋଟି ଟଙ୍କା ନେଇ କେତେକ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି।” ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ବିଧାୟକମାନେ ଟଙ୍କା ନେଇ ବିକ୍ରି ହୋଇଛନ୍ତି, ସେମାନେ କେବଳ ଦଳ ନୁହେଁ, ଦଳୀୟ ମୁଖିଆ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧୋକା ଦେଇଛନ୍ତି।

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ‘କିଣା ଘୋଡା କେତେଦିନ ଦୌଡ଼ି ପାରିବ । କିଣା ଘୋଡାକୁ ସବୁଦିନ ଦାନା ଦେଇପାରିବ ତ ? ଘୋଡ଼ା ବେପାରରେ ରହି କିଛି ବିଜେଡି ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ । ଲଜ୍ଜା ନିବାରଣ କରିବାକୁ ବିଜୁ ଲିଗାସୀ କଥା କହୁଛନ୍ତି କିଛି ବିଜେଡି ବିଧାୟକ । ସେମାନେ ମୋଟା ଅଙ୍କର ଟଙ୍କା ନେଇ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ବ୍ୟୋମକେଶ ରାୟ ଏକ ଭାବବିହ୍ବଳ ପ୍ରତିକ୍ରିୟାରେ କହିଛନ୍ତି, “ନବୀନ ବାବୁଙ୍କ ଅଭିଶାପ ପଡ଼ିବ। ଭଗବାନ ତାଙ୍କୁ (କ୍ରସ୍ ଭୋଟରଙ୍କୁ) ଶାସ୍ତି ଦେବେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ମହାପାତ୍ରଙ୍କୁ ଦୁଇ ମାସ ପୂର୍ବରୁ ଦଳରୁ ନିଲମ୍ବନ କରାଯାଇଥିଲା, ଯାହାକୁ ନେଇ ପ୍ରଶ୍ନ ଉଠୁଥିଲା। କିନ୍ତୁ ଆଜି ପ୍ରମାଣିତ ହୋଇଛି ଯେ ଦଳ ମୁଖିଆ ନବୀନ ପଟ୍ଟନାୟକ ସଠିକ୍ ନିଷ୍ପତ୍ତି ନେଇଥିଲେ।

ବିଜେଡି ନେତାମାନେ ଶାସକ ଦଳ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ରେଙ୍ଗାଲି ବିଧାୟକଙ୍କୁ କ୍ରସ୍ ଭୋଟିଂ ପାଇଁ ୧୫ କୋଟି ଟଙ୍କା ଯାଚାଯାଇଥିଲା। ମାତ୍ର ସେହି ବିଧାୟକ ଦଳୀୟ ନୀତି ଓ ଆଦର୍ଶରେ ଅଟଳ ରହି ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଭଳି ସଚୋଟ ନେତୃତ୍ବକୁ ବିଜେଡି ସାଲ୍ୟୁଟ କରୁଥିବା କହିଛନ୍ତି ନେତାମାନେ।

ଏହି ଅଭିଯୋଗକୁ ଆହୁରି ତୀବ୍ର କରି ବିଜେଡି କହିଛି ଯେ ବିଜୁ ଲିଗାସୀଙ୍କ ନାଁରେ ଲୋକ ଲଜ୍ଜାରୁ ବଞ୍ଚିବାକୁ ଚେଷ୍ଟା କରାଯାଉଛି। ବିଜେଡି ନେତା କହିଛନ୍ତି, “ବାପା ଚିଟ୍ ଫଣ୍ଡ ଚୋରି କରି ସିବିଆଇ ଗିରଫ ହୋଇଥିଲେ। ଆଜି ପୁଅ ବାପାଙ୍କ ରାସ୍ତାରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଘରେ ବିଧାୟକଙ୍କୁ ଲୁଚାଇ ରଖିଥିଲେ।” ସେମାନେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ ଏହି ଷଡ଼ଯନ୍ତ୍ରର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଅଭିହିତ କରିଛନ୍ତି। ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀରେ ଏଭଳି ନେତାଙ୍କୁ ଘୋର ବିରୋଧ କରିବାକୁ ସମର୍ଥକମାନଙ୍କ ପାଇଁ ଅପିଲ୍ କରାଯାଇଛି।

error: Content is protected !!