୨୦୧୮ରେ ଚରମ୍ପା ନିକଟସ୍ଥ ଥୋରଦା ଗ୍ରାମର ମସ୍ତିଷ୍କ ବିକୃତ ମହିଳା ମିନତୀ ମିଶ୍ରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହି ମାମଲାର ଧରାପଡ଼ିଥିବା ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଆବଶ୍ୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଭାତ କୁମାର ରାଜଗୁରୁ ମାମଲାର ସମସ୍ତ ପକ୍ଷଙ୍କ ଯୁକ୍ତି, ସାକ୍ଷ୍ୟ ଓ ପ୍ରମାଣ ଏବଂ ପୁଲିସ ଅଭିଯୋଗ ଫର୍ଦ୍ଦକୁ ବିଚାରକୁ ନେଇ ଆଜି ଏହି ରାୟ ଶୁଣାଇଛନ୍ତି। ଦାଖଲ କୌଣସି ପ୍ରମାଣ ଅଭିଯୁକ୍ତଙ୍କ ଅପରାଧକୁ ସାବ୍ୟସ୍ତ କରିପାରୁନଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ମାମଲାର ବିବାରିଣୀ ଅନୁଯାୟୀ, ଥୋରଦା ଗ୍ରାମର ବସନ୍ତ ମିଶ୍ରଙ୍କ ପତ୍ନୀ ମିନତୀ ଜଣେ ମାନସିକ ବିକାରଗ୍ରସ୍ତ ଅଟନ୍ତି। ସେ ନିୟମିତ ଭାବେ ଲୋକମାନଙ୍କ ଅଗୋଚରରେ ରାତିରେ ଘରୁ ବାହାରକୁ ପଳାଇ ଯାଇଥାନ୍ତି, ପରେ ତାଙ୍କୁ ଘର ଲୋକ ଖୋଜାଖୋଜି କରି ଘରକୁ ଆଣିଥାନ୍ତି। ତେବେ ୨୦୧୮ ମାର୍ଚ୍ଚ ୩୦ ତାରିଖ ରାତିରେ ବାହାରକୁ ଯାଇ ଆଉ ଫେରି ନଥିଲେ। ପରଦିନ ସକାଳେ ତାଙ୍କର ମୃତଦେହ ନିକଟସ୍ଥ ସାବିତ୍ରୀ ପୃଷ୍ଠିଙ୍କ ଚାଷଜମିରୁ ଉଦ୍ଧାର ହୋଇଥିଲା। ପରେ ସେହି ଗ୍ରାମର କଟି ବେହେରାଙ୍କ ପୁଅ କେଦାର ବେହେରା ରାତିରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୯ ଟା ଦୁଇଜଣ ଲୋକ ଜଣେ ମହିଳାଙ୍କୁ ରାସ୍ତା ଉପରେ ଟଣାଓଟରା କରୁଥିବାର ଦେଖିଥିଲେ। ହତ୍ୟା କରାଯାଇଥିବା ଅଭିଯୋଗ କରି ମୀନତିଙ୍କ ପୁଅ ରଣଜିତ ଭଦ୍ରକ ଗ୍ରାମାଞ୍ଚଳ ଥାନରେ ଏତଲା ଦେଇଥିଲେ। ଅଭିଯୋଗ ଭିତ୍ତିରେ ଆଇପିସିର ଦଫା ୩୦୨ରେ ନଂ-୧୫୬/୧୮ ମାମଲା ରୁଜୁ ହୋଇଥିଲା।ପୁଲିସର ଅନୁସନ୍ଧାନରେ, ସେହି ଗାଁର ସୁକୁରା ମୁଣ୍ଡାଙ୍କ ପୁଅ ରବି ମୁଣ୍ଡାକୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚରାରେ ସେ ନିଜର ଅପରାଧ ସ୍ବୀକାର କରିଥିଲା ବୋଲି ପୁଲିସ କହିଥିଲା। ପୁଲିସର ସୂଚନାରେ ରବି ଓ ତାଙ୍କ ସହଯୋଗୀ ସେହି ଗ୍ରାମର ମଙ୍ଗଳ ଦାସଙ୍କ ପୁଅ ପ୍ରଭାକାର, ମାୟାଧର ଶତପଥୀଙ୍କ ପୁଅ ଶୁକଦେବ ଓ ଗଣେଶ ଦାସଙ୍କ ପୁଅ ବାସୁଦେବ ମିଶି ପ୍ରଥମେ ମିନତୀଙ୍କୁ ଦୁଷ୍କର୍ମ କରିଥିଲେ। ସେ ଚିତ୍କାର କରିବାରୁ ରବି ମୁଣ୍ଡା ତା ଗାମୁଛାରେ ଭିଡି ହତ୍ୟା କରିଥିଲା। ପରେ ସିନ୍ ରିକ୍ରିୟସନ୍ରେ ଲୁଚେଇ ରଖିଥିବା ସ୍ଥାନରୁ ହତ୍ୟାରେ ବ୍ୟବହୃତ ଗାମୁଛାକୁ ପୁଲିସ ଜବତ କରିଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ରବି ମୁଣ୍ଡାଙ୍କ ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା। ରବି ବିଚାରାଧୀନ ବନ୍ଦୀ ଭାବରେ ସେହି ଦିନରୁ ଜେଲରେ ଅଟକ ଥିଲା।ପ୍ରଭାକର ପାଇଁ ଭଦ୍ରକର ବରିଷ୍ଠ ଓକିଲ ଗଦାଧର ବଳ, ଜୟନ୍ତ ଭୋଇ, ଶୁକଦେବ ଓ ବାସୁଦେବ ପାଇଁ ଶରତ ଚନ୍ଦ୍ର ମହାପାତ୍ର ଓ ଧୀରେନ୍ଦ୍ର ରାୟ , ରବି ମୁଣ୍ଡା ପାଇଁ ଦିବ୍ୟସିଂ ନାୟକ ମାମଲା ପରିଚାଳନା କରୁଥିଲେ।
