ଭାରତରେ ଆକର୍ଷଣୀୟ ଚାକିରି ଦେବାର ପ୍ରଲୋଭନ ଦେଖାଇ ବିଦେଶୀ ନାଗରିକମାନଙ୍କୁ ବନ୍ଧକ ରଖି ସାଇବର ଠକେଇ କରାଉଥିବା ଏକ ବଡ଼ ଅନ୍ତର୍ଜାତୀୟ ରାକେଟର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ। ନୋଏଡାର ସେକ୍ଟର-୧୩୬ ସ୍ଥିତ ଏକ ଠିକଣାରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ସେଠାରୁ ୯୨ ଜଣ ଇଣ୍ଡୋନେସୀୟ ଏବଂ ୭୨ ଜଣ ମାଲେସୀୟ ନାଗରିକଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୨୫ ବର୍ଷୀୟ ମାଲେସୀୟ ନାଗରିକ ଟାନ୍ ଗୁଆନ୍ ୱେଇଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁନୀଲ କୁମାର ଏବଂ ସୁଶୀଲ ଭାଟିଙ୍କୁ ଧରିବା ପାଇଁ ବିଭିନ୍ନ ରାଜ୍ୟରେ ଚଢ଼ାଉ ଜାରି ରହିଛି।ଶୁକ୍ରବାର ଦିଲ୍ଲୀ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସିଣ୍ଡିକେଟ୍ ଇଣ୍ଡୋନେସିଆ ଏବଂ ମାଲେସିଆର ଯୁବକଯୁବତୀଙ୍କୁ ମୋଟା ଅଙ୍କର ଦରମା ଓ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖାଇ ଭାରତ ଆଣୁଥିଲା। ମାତ୍ର ଏଠାରେ ପହଞ୍ଚିବା ପରେ ସେମାନଙ୍କ ପାସପୋର୍ଟ ଜବତ କରିନିଆଯାଉଥିଲା ଏବଂ ସେମାନଙ୍କୁ ପେୟିଂ ଗେଷ୍ଟ (ପିଜି) ରେ ବନ୍ଦୀ କରି ରଖାଯାଉଥିଲା। ପ୍ରାୟ ୪୦ଟି କ୍ୟାବ୍ ସହାୟତାରେ ସେମାନଙ୍କୁ ପିଜିରୁ ସାଇବର ଠକେଇ କଲ୍ ସେଣ୍ଟରକୁ ଅଣାଯାଉଥିଲା। ଯେଉଁମାନେ ଠକେଇ କାମ କରିବାକୁ ମନା କରୁଥିଲେ, ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିଲା।
