March 23, 2026

Now Odisha

Now Odisha

କମିନି ଗ୍ୟାସ୍ ସଙ୍କଟ, ଟେନସନ୍ ଦେଲାଣି ଔଷଧ

Spread the love

ନୂଆଦିଲ୍ଲୀ, ୨୩/୦୩ : ପଶ୍ଚିମ ଏସିଆରେ ଲାଗିରହିଥିବା ଯୁଦ୍ଧ କେବଳ ତେଲ ଏବଂ ଗ୍ୟାସ୍ ସଙ୍କଟ ସୃଷ୍ଟି କରିନାହିଁ ବରଂ ଏହାର ପ୍ରଭାବ ଏବେ ଔଷଧ ଭଳି ଅତି ଜରୁରୀ ସାମଗ୍ରୀ ଉପରେ ମଧ୍ୟ ପଡ଼ିବାକୁ ଲାଗିଛି । ଗ୍ୟାସ୍ ସଙ୍କଟ ଯୋଗୁଁ ସେମିତିରେ ଭାରତର ଅସୁବିଧା ବଢ଼ିଛି। ଆଉ ଏବେ ଔଷଧ ଉପରେ ଏହାର ପ୍ରଭାବ ବୋଝ ଉପରେ ନଳିତା ବିଡ଼ା ପରି ପରିସ୍ଥିତି ସୃଷ୍ଟି କରିବାକୁ ନେଇ ଚିନ୍ତା ବଢ଼ିଛି ।

ଭାରତରେ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ପାରାସିଟାମୋଲ୍, ଭିଟାମିନ୍ ଏବଂ ହରମୋନ୍ସ ଭଳି ଅତ୍ୟାବଶ୍ୟକ ଔଷଧର ଉତ୍ପାଦନରେ ସମସ୍ୟା ଦେଖାଦେଇଛି । ଯଦି ଏହି ସମସ୍ୟା ଶୀଘ୍ର ସମାଧାନ ନହୁଏ ତେବେ ଅନେକ ଫାର୍ମା କମ୍ପାନିକୁ ଆସନ୍ତା ୧୦ ଦିନ ମଧ୍ୟରେ ନିଜର ଉତ୍ପାଦନ ବନ୍ଦ କରିବାକୁ ପଡ଼ିପାରେ । ଡ୍ରଗ୍ ଟ୍ରେଡର୍ସ ଆସୋସିଏସନ୍‌ର କହିବା ଅନୁଯାୟୀ, କଞ୍ଚାମାଲ୍ ଯୋଗାଣରେ ବାଧା, ସିପିଂ ଖର୍ଚ୍ଚ ବୃଦ୍ଧି ଏବଂ ପ୍ୟାକେଜିଂ ସମସ୍ୟା ଯୋଗୁଁ ଆଗାମୀ ଦିନରେ ଔଷଧ ଦର ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ଏହି ଯୁଦ୍ଧ ଯୋଗୁଁ ଜ୍ୱର, ମଧୁମେହ, ସଂକ୍ରମଣ ଏବଂ ଶ୍ୱାସକ୍ରିୟା ଜନିତ ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧର ଅଭାବ ଦେଖାଦେଇପାରେ ।

ଏହି କାରଣରୁ ଭାରତରେ LPG ସଙ୍କଟ ଦେଖାଦେଇଛି ଯାହା ପରୋକ୍ଷରେ ଔଷଧ ଉତ୍ପାଦନକୁ ପ୍ରଭାବିତ କରୁଛି । ବାସ୍ତବରେ ଔଷଧ ତିଆରି ସମୟରେ ‘ପ୍ରୋପେନ୍ ଗ୍ୟାସ୍’କୁ ଇନ୍ଧନ ଭାବରେ ବ୍ୟବହାର କରାଯାଏ । ତେଲ ଏବଂ ଗ୍ୟାସ୍ ଅଭାବ ଯୋଗୁଁ ପାରାସିଟାମଲ୍, ମେଟଫର୍ମିନ୍, ମେଟ୍ରୋନିଡାଜୋଲ୍, ଡାଇକ୍ଲୋଫେନାକ୍, ଫୋଲିକ୍ ଏସିଡ୍ ଏବଂ ଭିଟାମିନ୍ ସି ଭଳି ଔଷଧର ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଫାର୍ମାଏକ୍ସିଲ୍‌ର ପୂର୍ବତନ ଅଧ୍ୟକ୍ଷ ଦିନେଶ ଦୁଆଙ୍କ ଅନୁଯାୟୀ, ପ୍ରାୟ ୨୦୦ ଔଷଧ ଏବେ ଷ୍ଟକ୍‌ରେ ନାହିଁ ଏବଂ ଆଗାମୀ ସାତରୁ ଦଶ ଦିନ ମଧ୍ୟରେ ଉତ୍ପାଦନ ବନ୍ଦ ହୋଇପାରେ ।ଭାରତ ବିଶ୍ୱର ଜେନେରିକ୍ ଔଷଧ ବଜାରର ଏକ ବଡ଼ କେନ୍ଦ୍ର ଏବଂ ଏହାର ଅଂଶଧନ ପ୍ରାୟ ୨୦ ପ୍ରତିଶତ । ଆମେରିକା ମଧ୍ୟ ଭାରତରୁ ସବୁଠାରୁ ଅଧିକ ଔଷଧ ଆମଦାନୀ କରିଥାଏ । କିନ୍ତୁ ଭାରତର ଏହି ସେକ୍ଟର କଞ୍ଚାମାଲ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ । ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଏବେ ଏହି ସେକ୍ଟର ବିପଦରେ ପଡ଼ିଛି । ଔଷଧ ପରି ଡେୟାରୀ ବା ଦୁଗ୍ଧ ଶିଳ୍ପରେ ମଧ୍ୟ ସମସ୍ୟା ବଢ଼ିବାରେ ଲାଗିଛି । ଗ୍ୟାସ୍ ସଙ୍କଟ ଯୋଗୁଁ ଦୁଗ୍ଧ ପ୍ୟାକେଜିଂ ପାଇଁ ଆବଶ୍ୟକ ସାମଗ୍ରୀ ମିଳୁନାହିଁ । ମହାରାଷ୍ଟ୍ରର ଡେୟାରୀ ମାଲିକମାନଙ୍କ କହିବା ଅନୁସାରେ, ଯଦି ସ୍ଥିତିରେ ସୁଧାର ନଆସେ, ତେବେ ସେମାନଙ୍କୁ ମଧ୍ୟ ଉତ୍ପାଦନ ବନ୍ଦ କରିବାକୁ ପଡ଼ିପାରେ ।

error: Content is protected !!