March 23, 2026

Now Odisha

Now Odisha

ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ |

Spread the love

ଭୁବନେଶ୍ୱର, ୨୧/୦୩ : ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିପାରେ । ୩ ଦିନ ପରେ (ପରବର୍ତ୍ତୀ ୪ଦିନରେ) ପାରଦ ବଢ଼ିବା ସମ୍ଭାବନା ଅଛି । ସେତେବେଳକୁ ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ ଦେଖାଇଛି ।

ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ତୁଳନାରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨ ପର୍ଯ୍ୟନ୍ତ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଧିକ ରହିଛି । ଯଦି ଏଭଳି ହୁଏ, ତେବେ ମାର୍ଚ୍ଚ ଶେଷ ସପ୍ତାହ ଏବଂ ଏପ୍ରିଲ ଆଗମନ ସମୟରେ ମଧ୍ୟ ଗ୍ରୀଷ୍ମ ପ୍ରକୋପ କମ୍ ରହିପାରେ । ଶୁକ୍ରବାର ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୫-୩୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା । ସୁନ୍ଦରଗଡ଼, ବାରିପଦା, ଦାରିଙ୍ଗିବାଡ଼ି ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା ।

ଅନୁମାନ କରାଯାଉଛି, ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ଏପରିକି ସ୍ଥାନେ ସ୍ଥାନେ ପବନର ବେଗ ୫୦-୬୦ କିମି ପର୍ଯ୍ୟନ୍ତ ରହିପାରେ । କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ାର ସ୍ଥାନେ ସ୍ଥାନେ ବର୍ଷା, ଘଡ଼ଘଡ଼ି ସହ ୩୦-୪୦ କିମି ପବନ ଆଶଙ୍କା ନେଇ ସତର୍କ କରାଯାଇଛି । ଏଭଳି କାଳବୈଶାଖୀ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେବ । ଏହାପରେ ବି ପ୍ରତିଦିନ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

error: Content is protected !!