ପାଟନା : ବିହାରର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ନଗିନା ରାୟଙ୍କ ହତ୍ୟା ଘଟଣାର ୩୫ ବର୍ଷ ପରେ ଏହି ମାମଲାର ରାୟ ଆସିଛି। ୧୯୯୧ ମସିହା ଏପ୍ରିଲ ମାସରେ ହୋଇଥିବା ଏହି ହତ୍ୟା ମାମଲାରେ ଗୋପାଳଗଞ୍ଜ ଜିଲ୍ଲା କୋର୍ଟ ଦୁଇ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଆସନ୍ତା ଡିସେମ୍ବର ୮ ତାରିଖରେ କୋର୍ଟ ଏହି ମାମଲାରେ ୨ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ। ସେସନ୍ସ କୋର୍ଟ ବିଚାରପତି ସଞ୍ଜୀବ କୁମାର ସିଂହ ଏହି ମାମଲାରେ ୨ ଅଭିଯୁକ୍ତ ପରମାତ୍ମା ଚୌବେ ଏବଂ ବ୍ରଜଭୂଷଣ ଚୌବେଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ହେବାପରେ ସେମାନଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ସତ୍ୟେନ୍ଦ୍ର ଉପାଧ୍ୟାୟଙ୍କୁ କୋର୍ଟ ଏହି ମାମଲାରୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ତଥା ପରମାତ୍ମା ଏବଂ ବ୍ରଜଭୂଷଣଙ୍କର ବାପା ସନ୍ତୋଷ ଉପାଧ୍ୟାୟ ଏବଂ ବଚ୍ଚା ଚୌବେଙ୍କର ମାମଲାର ବିଚାରଣ ପ୍ରକ୍ରିୟାରେ ମୃତ୍ୟୁ ହୋଇ ସାରିଛି। ତେବେ ଏତେ ଦୀର୍ଘ ସମୟ ଧରି ହତ୍ୟା ମାମଲାର ବିଚାରଣ ଚାଲିଥିବାରୁ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ୧୯୯୧ ଏପ୍ରିଲ ୧୦ ତାରିଖରେ ନଗିନା ରାୟଙ୍କୁ ହତ୍ୟା କରାଯାଇଥିଲା।
