ଦିନକୁ ଦିନ ଆମ ସମାଜରୁ ମାନବିକତା ମରିଯାଉଛି। ଅସହାୟ ଏବଂ ଅବହେଳିତଙ୍କ ପ୍ରତି ସହାୟତା କରିବା ବଦଳରେ ତାଙ୍କୁ ଲୁଟ୍ କରାଯାଉଛି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବିଧବାଙ୍କ ଘରୁ ଦୁର୍ବୃତ୍ତମାନେ ଘରର ଗ୍ରିଲ୍ କାଟି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଘଟାଇଛନ୍ତି ଏଭଳି କାଣ୍ଡ। ସବୁଠାରୁ ବିଡ଼ମ୍ବନାର କଥା ହେଲା ଅଭିଯୋଗ ପାଇଲା ପରେ ମଧ୍ୟ ପୁଲିସ ପହଞ୍ଚିନଥିବା ନେଇ ପୀଡ଼ିତା ଅସନ୍ତୋଷ ଦେଖାଯାଇଛନ୍ତି। ଅନ୍ୟପଟେ ଅଞ୍ଚଳରେ ବାରମ୍ବାର ଚୋରି ଓ ଲୁଟ୍ ଘଟଣା ଘଟୁଥିବାରୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ।ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତ କାନକଟା ଛକ ନିକଟରେ ଲୁଟ୍ର ଶିକାର ହୋଇଛନ୍ତି ବିମଳା ବେହେରା ନାମକ ଜଣେ ବିଧବା ଓ ଭିନ୍ନକ୍ଷମ ମହିଳା। ଶୁକ୍ରବାର ସନ୍ଧ୍ୟା ସମୟରେ ପରିବାରର ଦୁଇ ମହିଳା ଓ ପିଲାମାନେ ଗାଁରେ ଅନ୍ୟ ଏକ ଘର ନିକଟରେ ଆୟୋଜିତ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଗ୍ରିଲ୍ କାଟି ଭିତରେ ପ୍ରବେଶ କରିଥିଲେ। ଏହାପରେ ଘରେ ଥିବା ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇ ଫେରାର ହୋଇଯାଇଥିବା ବିମଳା ଅଭିଯୋଗ କରିଛନ୍ତି।
