ଲିମା: ପେରୁର ରାଜଧାନୀ ଲିମା ନିକଟସ୍ଥ କାଲାଓ ରାଜପଥରେ ଜଣେ ଭାରତୀୟ ନାଗରିକଙ୍କ ଗାଡ଼ିକୁ ଅଟକାଇ ମୁଖାପିନ୍ଧା ବନ୍ଧୁକଧାରୀମାନେ ୩୦ରୁ ଅଧିକ ରାଉଣ୍ଡ ଗୁଳି ଚଳାଇବା ସହ ଅଳଙ୍କାର ଭର୍ତ୍ତି ବ୍ରିଫକେସ୍ ଲୁଟି ନେଇଛନ୍ତି। ଏହି ଭୟାବହ ଆକ୍ରମଣରେ ଭାରତୀୟ ନାଗରିକ ବିଜୟ ପାଗ୍ରାନୀ ଇଜା ଏବଂ ତାଙ୍କ ସହ ଥିବା ୩୫ ବର୍ଷୀୟା ପେରୁ ମହିଳା ମାରି ନାଟାଲି ମିରାଣ୍ଡା ଏସ୍ପିନୋଜା ଆହତ ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଘଟଣାକୁ ନେଇ ପୁଲିସ ତଦନ୍ତ କରୁଛି।ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ପ୍ରାୟ ସାଢ଼େ ୬ଟାରେ ଉଭୟ ଜର୍ଜ ଚାଭେଜ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିବା ବେଳେ ପୂର୍ବରୁ ପିଛା କରୁଥିବା ପ୍ରାୟ ୧୦ ଜଣ ଦୁର୍ବୃତ୍ତ ତିନୋଟି ଭ୍ୟାନ୍ ସହାୟତାରେ ସେମାନଙ୍କ ବାଟ ଓଗାଳିଥିଲେ। ବନ୍ଧୁକଧାରୀମାନେ ଗାଡ଼ିକୁ ଘେରି ଅତର୍କିତ ଗୁଳି ଚଳାଇବା ସହ ବିଜୟଙ୍କୁ ଗାଡ଼ିରୁ ଟାଣି ବାହାରକୁ ଫିଙ୍ଗି ଦେଇଥିଲେ ଏବଂ ସମସ୍ତ ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ଆହତ ଉଭୟଙ୍କୁ ସାନ୍ ଜୁଡାସ୍ ଟାଡେଓ କ୍ଲିନିକରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ବିପଦମୁକ୍ତ ଥିବା ଜଣାପଡ଼ିଛି। କାଲାଓ ପୁଲିସ ମୁଖ୍ୟ ଜେନେରାଲ ଓଲଗର ବେନାଭିଡେସ୍ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି। ଘଟଣାସ୍ଥଳ ନିକଟରୁ କିଛି ମୋବାଇଲ୍ ଫୋନ୍ ମିଳିଥିବା ବେଳେ ଆକ୍ରମଣରେ ବ୍ୟବହୃତ ଗାଡ଼ିର ପୂର୍ବରୁ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର କାରବାର ଭଳି ଅପରାଧିକ ରେକର୍ଡ ଥିବା ପୁଲିସ ସ୍ପଷ୍ଟ କରିଛି।
