ଅହମ୍ମଦାବାଦ: ବୟସ ୬୦ ଛୁଇଁଲାଣି। ଗତ ୩୦ ବର୍ଷ ଧରି ଉଭୟ ଗୋଟିଏ ଛାତ ତଳେ ଲିଭ୍-ଇନ୍ ରିଲେସନସିପ୍ରେ ରହୁଥିଲେ। ଉଭୟଙ୍କର ଗୋଟିଏ ପିଲା ମଧ୍ୟ ଅଛି। କିନ୍ତୁ ଏବେ ସାଥୀଙ୍କ ପରିବାର ଲୋକେ ତାଙ୍କୁ ଓ ତାଙ୍କ ପିଲାକୁ ଜୋରଜବରଦସ୍ତି ବନ୍ଦୀ କରି ରଖିଛନ୍ତି। ଏମିତି ଏକ ସଙ୍ଗୀନ ଅଭିଯୋଗ ଆଣି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ୬୦ ବର୍ଷୀୟା ମହିଳା।
ସୂଚନା ଅନୁସାରେ, ମହିଳା ଜଣକ ନିଜ ସାଥୀଙ୍କୁ ମୁକୁଳାଇବା ପାଇଁ ହାଇକୋର୍ଟରେ ଏକ ‘ହେବିୟସ୍ କର୍ପସ୍’ ବା ବନ୍ଦୀ ପ୍ରତ୍ୟକ୍ଷୀକରଣ ମାମଲା ରୁଜୁ କରିଛନ୍ତି। ନିଜ ଆବେଦନରେ ସେ ଦର୍ଶାଇଛନ୍ତି ଯେ, ସେ ତାଙ୍କ ପୁରୁଷ ସାଥୀଙ୍କ ସହ ଗତ ତିନି ଦଶନ୍ଧି ଧରି ବିନା ବିବାହରେ ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହୁଥିଲେ। ଦୀର୍ଘ ଦିନର ଏହି ସମ୍ପର୍କ ଭିତରେ ସବୁକିଛି ଠିକ୍ ଚାଲିଥିଲା।
ହେଲେ ହଠାତ୍ ଦିନେ ତାଙ୍କ ସାଥୀଙ୍କ ପରିବାର ଲୋକେ (ଭାଇ ଓ ଅନ୍ୟ ସମ୍ପର୍କୀୟ) ଆସି ଜୋରଜବରଦସ୍ତି ତାଙ୍କ ସାଥୀ ଏବଂ ପିଲାକୁ ଉଠାଇ ନେଇଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପରିବାର ଲୋକେ ଉଭୟ ବାପା ଓ ପିଲାକୁ ଏକ ଅଜ୍ଞାତ ସ୍ଥାନରେ ବେଆଇନ ଭାବେ ଅଟକ ରଖିଛନ୍ତି। ମହିଳାଙ୍କୁ ତାଙ୍କ ସାଥୀ କିମ୍ବା ନିଜ ପିଲା ସହ ଦେଖା କରିବାକୁ କିମ୍ବା ଫୋନ୍ରେ କଥା ହେବାକୁ ସୁଯୋଗ ଦିଆଯାଉନାହିଁ। ଶେଷରେ ନିରାଶ ହୋଇ ଏବଂ କୌଣସି ଉପାୟ ନପାଇ ମହିଳା ଜଣକ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେଇଛନ୍ତି।
ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ କୋର୍ଟ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି। ଆଗାମୀ ଶୁଣାଣି ବେଳେ ବନ୍ଦୀ ଥିବା ବ୍ୟକ୍ତି ଏବଂ ତାଙ୍କ ପିଲାକୁ କୋର୍ଟରେ ହାଜର କରିବାକୁ ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ବୃଦ୍ଧାବସ୍ଥାରେ ଏବଂ ୩୦ ବର୍ଷର ଦୀର୍ଘ ସମ୍ପର୍କ ପରେ ଏଭଳି ଏକ ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତଥା ଆଇନଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

More Stories
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।
ପରଲୋକରେ ଅବସର ପ୍ରାପ୍ତ ସୈନିକ |