May 18, 2026

Now Odisha

Now Odisha

ନବବଧୁର ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା |

Spread the love

ସାବିତ୍ରୀ ଅମାବାସ୍ୟାରେ ନିଜ ସ୍ୱାମୀର ଦୀର୍ଘାୟୁ ପାଇଁ ପତ୍ନୀ ଉପବାସ ରଖି ବ୍ରତ ପାଳନ କରିଥାଏ । ପୁରାଣ ଅନୁସାରେ ସାବିତ୍ରୀ ନିଜ ସତୀତ୍ୱ ବଳରେ ମୃତ ସତ୍ୟବାନକୁ ଯମ ପାଖରୁ ମଧ୍ୟ ଛଡ଼ାଇ ଆଣି ପାରିଥିଲେ । ଆଧୁନିକ ଯୁଗରେ ସାବିତ୍ରୀ ସ୍ୱରୂପ ସେହି ମହିଳାଙ୍କ ଜୀବନ ସୁରକ୍ଷିତ ବଦଳରେ ଆତ୍ମହତ୍ୟା କରିଛି ନ ହତ୍ୟା ହେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡା ଗ୍ରାମରେ । ସୂଚନା ମୁତାବକ ମୃତ ନେତ୍ରମଣୀ ମାଳୀ ପିତା ରତନ ମାଳୀ ଗ୍ରାମ ନିକଟସ୍ଥ ଚିଲିଗୁଡ଼ା ଗ୍ରାମରୁ ମାଳିଗୁଡା ଗ୍ରାମର ମଧୁ ପୂଜାରୀଙ୍କ ପୁଅ ନରେଶ ପୂଜାରୀଙ୍କୁ ପ୍ରେମ ବିବାହ କରିଥିଲେ । ନେତ୍ରମଣୀ ଓ ନରେଶଙ୍କ ମଧ୍ୟରେ ହୋଇଥିବା ପ୍ରେମ ସମ୍ପର୍କର ଉତନ ପତନ ପରେ ଏକ ପ୍ରକାର ବୁଝାମଣା ବିବାହ ହୋଇଥିଲା କିନ୍ତୁ ନରେଶଙ୍କ ପରିବାର ଗ୍ରହଣ କରିବାକୁ ନାରାଜ ହୋଇଥିଲେ । ପରେ ଏପ୍ରିଲ ୧୨ ତାରିଖରେ ନେତ୍ରମଣୀଙ୍କ ମାତା ଚମ୍ପା ମାଳୀ ତାଙ୍କ ଝିଅକୁ ଘରୁ ଘଡେଇ ଦେଇଥିବା ବିଷୟରେ ନବରଙ୍ଗପୁର ଥାନରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଉଭୟ ପକ୍ଷ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଭବିଷ୍ୟତ ଦାମ୍ପତ୍ୟ ଜୀବନ ସୁଖମୟରେ କଟାଇବା ପାଇଁ ଥାନାରେ ଚୁକ୍ତି ହୋଇଥିଲା । ଏବେ ଠିକ୍ ଏକ ମାସ ପରେ ନେତ୍ରମଣୀ ଜୀବନ ହରାଇଛନ୍ତି । ସ୍ୱାମୀ ସହ ଘରେ ଶୋଇଥିବା ବେଳେ ପାହାନ୍ତିଆରେ ଉଠି ଘର ପଛପଟ ଆମ୍ବ ଗଛରେ ଆତ୍ମହତ୍ୟା କରିଥିବା ନରେଶଙ୍କ ପରିବାର ଲୋକେ କହିଛନ୍ତି । ଅପରପକ୍ଷରେ ନେତ୍ରମଣୀଙ୍କ ପରିବାର ଲୋକ କହିବା ଅନୁସାରେ ତାଙ୍କ ସ୍ୱାମୀ ସମେତ ପରିବାର ଲୋକ ମିଶି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ଥାନରେ ଏତଲା ଦେବା ସାଙ୍ଗେ ସାଙ୍ଗେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ ଏସଡିପିଓ କୃଷ୍ଣ ଚନ୍ଦ୍ର ଭତରା, ଥାନା ସବ ଇନ୍ସପେକ୍ଟର ସବିର ଅହମ୍ମଦ, ସୀମା ଲାକ୍ରା ଓ ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ତୁଳସୀରାମ ପୂଜାରୀ ସହ ଏକ ପୁଲିସ ଟିମ ପହଞ୍ଚି ଥିଲେ । ଏକ ସାଇଣ୍ଟିଫିକ୍ ଟିମ ପହଞ୍ଚି ସମସ୍ତ ପରୀକ୍ଷା କରି ନେଇଛନ୍ତି । ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହନନ୍ଦିଆଙ୍କ ତତ୍ତ୍ୱାବଧାନରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ଏବଂ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ନବରଙ୍ଗପୁର ଥାନା ୧୮୯/୨୬ ସଂଖ୍ୟାରେ ଏକ ମାମଲା ଦାୟର କରିଛି । ବି. ମାଳିଗୁଡ଼ା ଗ୍ରାମରେ ଶବ ସତ୍କାର କରାଯାଇଥିଲା । ଅନୁରୂପ କିଛି ଦିନ ତଳେ ବଧୂ ହତ୍ୟା କିମ୍ବା ଆତ୍ମହତ୍ୟା ଘଟଣା ଦହଣା ପଞ୍ଚାୟତର ମରାଳି ଗ୍ରାମରେ ଘଟିଥିଲା । ଯଦି ହତ୍ୟା ହୋଇଥାଏ ତାହେଲେ ଦୋଷୀଙ୍କୁ ଉଚିତ୍ ଦଣ୍ଡ ନଦେଲେ ଏଭଳି କାଣ୍ଡ ଭିଆଇବାକୁ ଭୟ କରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

error: Content is protected !!