ଆସୁଛନ୍ତି ପ୍ରଧାନମନ୍ତ୍ରୀ


ଦୀର୍ଘ 40 ବର୍ଷ ପରେ ବଡଚଣା ମାଟିକୁ ଆସୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ |1984 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଯାଜପୁର ଜିଲ୍ଲା ବଡଚଣା ବ୍ଳକର ଆମ ଗାଁ ପଲାଇର ବାରବାଟୀ ପଡିଆ ଠାରେ ଏକ ବିଶାଳ ଜନସମାଗମକୁ ସଂବୋଧିତ କରିଥିଲେ ଏବଂ ତାହାଥିଲା ଏକ ନିର୍ବାଚନୀ ସଭା | ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅକାଳ ନିଧନ ପରେ ତାହା ଥିଲା ରାଜୀବ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ସଭା | ନଭେମ୍ବର-ଡିସେମ୍ବର ମାସର ଶୀତସକାଳେ ପ୍ରାୟ 7ଟା/ 8 ଟା ବେଳେ ( ଏତେ ସକାଳୁ ପ୍ରାୟ କେଉଁଠି ନିର୍ବାଚନ ସଭା ହୁଏ ନାହିଁ ) ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ତତ୍କାଳୀନ ଯାଜପୁର ସାଂସଦ ଅନାଦି ଦାସ ଓ ବଡଚଣା ବିଧାୟକ ସୀତାକାନ୍ତ ମହାପାତ୍ରଙ୍କୁ ବାରବାଟୀ ପଡିଆ ମଂଚରେ ଜନସାଧାରଣଙ୍କୁ ପରିଚୟ କରାଇ ଭୋଟ ଦେବାକୁ ଅନୁରୋଧ କରିଥିଲେ | 40 ବର୍ଷ ପରେ ଏବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡଚଣା ମାଟିର ଚଣ୍ଡୀଖୋଲ ନିକଟସ୍ଥ ବେଣାପୁର ଠାରେ ଚଳିତ ମାର୍ଚ୍ଚ ମାସ 5 ତାରିଖ ଦିନ ସରକାରୀ କାର୍ଯ୍ୟକ୍ରମରେ ଆସି ଜନସମାଗମକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି | ଗୋଟିଏ ସଭା ସରକାରୀ ଏବଂ ଅନ୍ୟଟି ରାଜନୈତିକ ସମାବେଶର ଆୟୋଜନ ବୋଲି ଜଣାପଡିଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସାରିତ ଖବର ସୂତ୍ରରୁ ଜଣାପଡିଛି ଯେ, 19600 କୋଟି ଟଙ୍କାର Multiple Development Project ରେ ସ୍ଥାନ ପାଇଛି ତୈଳ ଓ ବାଷ୍ପ, ରେଳପଥ, ସଡକ, ପରିବହନ ଓ ରାଜପଥ ଓ ଆଣବିକ ଶକ୍ତିର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା | ଯାଜପୁର ଜିଲ୍ଲାର ଯେଉଁ ଦୁଇଟି ବୃହତ ପ୍ରକଳ୍ପ ଏଥିରେ ସ୍ଥାନ ପାଇଛି – ତା’ହେଲା ଚଣ୍ଡୀଖୋଲ- ପାରାଦ୍ବୀପ 53 ନମ୍ବର ଜାତୀୟ ରାଜପଥର ବିକାଶ| ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ବନ୍ଦର ପାରାଦ୍ବୀପ ସହିତ ସଂଯୋଜିତ ଚାରିଲେନ୍ ବିଶିଷ୍ଟ ଏଇ ରାଜପଥ ଦୋହରିକରଣ ହୋଇ ଆଠ ଲେନ୍ ହେବାକୁ ଯାଉଛି ଏବଂ ଏହା ହେବ ରାଜ୍ୟର ପ୍ରଥମ ଆଠଲେନ ବିଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ରାଜମାର୍ଗ | ଏଇ ସଂପ୍ରସାରଣ କାର୍ଯ୍ୟ ଇତିମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇସାରିଛି | ଦ୍ୱିତୀୟ ବିକାଶମୂଳକ କାର୍ଯ୍ୟ ହେଲା ଏଇ ସଡକ ପଥ ସହିତ ସମାନ୍ତରାଳ ଭାବେ ନିର୍ମାଣ ହୋଇଥିବା ହରିଦାସପୁର ପାରାଦ୍ବୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ | ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ ରେଳପଥ ହେଉଛି ଦେଶର ପ୍ରଥମ ଫାଟକବିହୀନ ରେଳପଥ | 4 ବର୍ଷ ତଳୁ ଏଇ ରେଳପଥ ଦେଇ ମାଲଗାଡ଼ି ଚଳାଚଳ କରୁଥିଲେ ମଧ୍ୟ ଯାତ୍ରୀବାହୀ ଗାଡି ଚଳାଚଳ ହୋଇନଥିଲା | ଏଥିପାଇଁ ଖୋଦ୍ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଖୁସିର କଥା, ଦୀର୍ଘ 4ବର୍ଷ ପରେ ଏଇ ରେଳପଥରେ ଯାତ୍ରୀମାନେ ଯାତାୟତ କରିବେ | କେନ୍ଦୁଝରରୁ ବନ୍ଦର ନଗରୀ ପାରାଦ୍ବୀପ ପର୍ଯ୍ୟନ୍ତ ଦୈନିକ ଏକ ମେମୁ ରେଳଗାଡି ଏହି ରେଳପଥରେ ଯିବ | ପ୍ରଧାନମନ୍ତ୍ରୀ ବେଣାପୁରଠାରେ 53 ନମ୍ବର ଜାତୀୟ ରାଜପଥ ଆଠଲେନ ସଂପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କରିବେ ଏବଂ ସବୁଜ ପତାକା ଦେଖାଇ ନୂଆ ଯାତ୍ରୀବାହୀ ରେଳଗାଡିର ଶୁଭାରମ୍ଭ ମଧ୍ୟ କରିବେ |ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ହେଲା ଯେଉଁ ମାର୍ଚ୍ଚ 5 ତାରିଖରେ ଏଇ ବିଶାଳ କାର୍ଯ୍ୟକ୍ରମ ସଂପନ୍ନ ହେବ ,ତାହା ହେଉଛି ଦେଶର ମହାନ ବରପୁତ୍ର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି | ଏହା ହୁଏତ ଏକ ସଂଯୋଗ ହୋଇପାରେ |କିନ୍ତୁ ରାଜନୈତିକ ପଣ୍ଡିତମାନେ ଏଇ ତିଥିରେ ଏବଂ ଆସନ୍ନ ସାଧାରଣ ନିର୍ବାଚନ ୠତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡୀଖୋଲ ସଭାକୁ ନେଇ ଭିନ୍ନ ଭିନ୍ନ ଆଲୋଚନାର ଗୁଡି ଉଡାଉଛନ୍ତି | ତେବେ ଷାଠିଏ ଦଶକରେ ବିଜୁଙ୍କ ମାନସ ପ୍ରକଳ୍ପ ଭାବେ ସ୍ଥାନିତ ଦୈତାରୀ ପାରାଦ୍ବୀପ ଏକ୍ସପ୍ରେସ ହାଇୱେ ଆଜି ଏତେ ବର୍ଷ ପରେ ଆଠଲେନ ବିଶିଷ୍ଟ ଜାତୀୟ ରାଜପଥରେ ପରିଣତ ହେବାକୁ ଯାଉଥିବା ଏକ ଉଲ୍ଲେଖନୀୟ ଘଟଣା | ଏ ପରିପ୍ରେକ୍ଷୀରେ ଚଣ୍ଡୀଖୋଲ- ପାରାଦ୍ବୀପ 53ନଂ ଜାତୀୟ ରାଜପଥ ଦୋହରୀକରଣ ( ଓଡିଶାର ପ୍ରଥମ ଆଠଲେନବିଶିଷ୍ଟ ଜାତୀୟ ରାଜପଥ)ଏବଂ ହରିଦାସପୁର- ପାରାଦ୍ବୀପ ରେଳପଥରେ ପ୍ରଥମ ଯାତ୍ରୀବାହୀ ରେଳଗାଡି ଚଳାଚଳ ଅତି ଗୁରୁତ୍ବପୂର୍ଣ୍ଣ ଘଟଣା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ||● ଶୁଭେନ୍ଦୁ କୁମାର ଭୂୟାଁ 03 03 2024।


error: Content is protected !!