ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇନଥିବାରୁ ଏହା ଏବେ ରାଜନୈତିକ ବିବାଦର କାରଣ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ଅଗଷ୍ଟ ୧୩ ତାରିଖରୁ ବନ୍ଦ ରହିଥିଲେ ମଧ୍ୟ ଅଧିବେଶନକୁ ଔପଚାରିକ ଭାବେ ଶେଷ କରାଯାଇନାହିଁ। ନଭେମ୍ବର ୯ ତାରିଖରେ ଏହି ସମୟସୀମା ୮୮ ଦିନରେ ପହଞ୍ଚି ପୂର୍ବର ୮୭ ଦିନର ରେକର୍ଡ ଭାଙ୍ଗିଛି |ଏହା ପଛରେ କେନ୍ଦ୍ର ସରକାରଙ୍କର ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସମ୍ପର୍କିତ ବିଧେୟକ ପୁଣି ଆଣିବାର ଯୋଜନା ଥାଇପାରେ ବୋଲି କଂଗ୍ରେସ ସନ୍ଦେହ ପ୍ରକାଶ କରିଛି।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସୋମବାର ଏକ୍ସରେ ଏକ ପୋଷ୍ଟ କରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଲୋକସଭାରେ ଦୁଇ-ତୃତୀୟାଂଶ ସମର୍ଥନ ଯୋଗାଡ଼ କରିବା ପାଇଁ ସରକାର ଜାଣିଶୁଣି ଅଧିବେଶନକୁ ଔପଚାରିକ ଭାବେ ଶେଷ କରୁନାହାନ୍ତି। ଏହାଦ୍ୱାରା ନୂଆ ଅଧିବେଶନ ଡାକିବା ପରିବର୍ତ୍ତେ ଅଳ୍ପ ସମୟର ନୋଟିସ୍ରେ ପୁରୁଣା ଅଧିବେଶନକୁ ପୁଣି ଡକାଯାଇପାରିବ। ଅମିତ ଶାହ ନିଜର ପରିଚିତ ‘ବୁଲଡୋଜର୍ ଶୈଳୀ’ରେ ବିଧେୟକଗୁଡ଼ିକୁ ପାରିତ କରାଇବାକୁ ଚେଷ୍ଟା କଲେ ବିରୋଧୀ ଦଳଗୁଡ଼ିକ ପୁଣି ଏକଜୁଟ୍ ହୋଇ ଏହାକୁ ପ୍ରତିରୋଧ କରିବେ ବୋଲି ସେ କହିଛନ୍ତି।
ଏହି ବିବାଦର ମୂଳରେ ରହିଛି ଏପ୍ରିଲ ୧୬ ତାରିଖରେ ସରକାର ଆଣିଥିବା ତିନୋଟି ବିଧେୟକ। ଏଥିରେ ସମ୍ବିଧାନର ୧୩୧ତମ ସଂଶୋଧନ ବିଧେୟକ, ଲୋକସଭା ଓ ବିଧାନସଭା ଆସନର ସୀମା ପୁନଃନିର୍ଦ୍ଧାରଣ ସମ୍ପର୍କିତ ବିଧେୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ ରହିଛି। ଏହାର ଉଦ୍ଦେଶ୍ୟ ୨୦୨୯ ନିର୍ବାଚନ ପୂର୍ବରୁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ସହ ଲୋକସଭା ଆସନ ସଂଖ୍ୟାକୁ ୫୪୩ରୁ ସର୍ବାଧିକ ୮୫୦କୁ ବୃଦ୍ଧି କରିବା। ଏଥିପାଇଁ ଜନଗଣନା ଓ ଆସନ ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ପରିବର୍ତ୍ତନ ପ୍ରସ୍ତାବ ରହିଛି।ତେବେ ଜନସଂଖ୍ୟାର ପୁରୁଣା ତଥ୍ୟକୁ ଆଧାର କରି ଆସନ ପୁନଃନିର୍ଦ୍ଧାରଣ କଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରତିନିଧିତ୍ୱ ପ୍ରଭାବିତ ହୋଇପାରେ ବୋଲି ବିରୋଧୀ ଦଳଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି। ଏପ୍ରିଲ ୧୭ ତାରିଖରେ ଲୋକସଭାରେ ସମ୍ବିଧାନ ସଂଶୋଧନ ବିଧେୟକ ଉପରେ ଭୋଟ୍ ହୋଇଥିଲା। ଏଥିରେ ସପକ୍ଷରେ ୨୯୮ ଓ ବିପକ୍ଷରେ ୨୩୦ ଖଣ୍ଡ ଭୋଟ୍ ପଡ଼ିଥିଲା। ଆବଶ୍ୟକ ୩୫୨ ଖଣ୍ଡ ଭୋଟ୍ ମିଳି ନଥିବାରୁ ବିଧେୟକଟି ପାରିତ ହୋଇପାରି ନଥିଲା।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଗତ ଛଅ ମାସ ମଧ୍ୟରେ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚାରିଥର ଚିଠି ଲେଖିଥିବା ଜୟରାମ ରମେଶ ଦାବି କରିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଏଥିରେ ରାଜି ହୋଇନାହାନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଧିବେଶନକୁ ଦୀର୍ଘ ସମୟ ଧରି ଚାଲୁ ରଖିବା ସମ୍ବିଧାନର ଉଲ୍ଲଂଘନ ନୁହେଁ। ଏହା ପଛରେ ବିଧେୟକ ପୁଣି ଆଣିବାର ଯୋଜନା ଅଛି କି ନାହିଁ, ସେ ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି।
