August 11, 2026

Now Odisha

Now Odisha

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ |

Spread the love

ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର ପୋଲିସ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଆଜି ଫକୀରପୁରସ୍ଥିତ ସିଟି ଓ ବି.ଏଡ. କଲେଜ ପରିସରରେ ଏକ ସାଇବର ସଚେତନତା ଶିବିର ଆୟୋଜିତ ହୋଇଥିଲା। ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଆନନ୍ଦପୁର ଥାନା ଓଆଇସି ପୂଜା ସୟ ସମେତ ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ। କଲେଜର ଛାତ୍ରୀଛାତ୍ର ଓ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇ ସାଇବର ଅପରାଧ ସମ୍ପର୍କରେ ସଚେତନତା ହାସଲ କରିଥିଲେ। ଶିବିରରେ ସାଇବର ଅପରାଧୀମାନେ କିପରି ବିଭିନ୍ନ କୌଶଳ ଅବଲମ୍ବନ କରି ଲୋକଙ୍କୁ ଠକୁଛନ୍ତି, ସେ ସମ୍ପର୍କରେ ବୁଝାଇଥିଲେ। ବିଶେଷକରି ଅଜଣା ଫୋନ କଲ, ଫେକ୍‌ ଲିଙ୍କ କେୱାଇସି ଅପଡେଟ ମେସେଜ, ଅନଲାଇନ ଚାକିରି ପ୍ରଲୋଭନ, ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ ସମ୍ବନ୍ଧୀୟ ଠକେଇ, ଓଟିପି ଓ ପାସୱାର୍ଡ ହାସଲ କରି ଟଙ୍କା ଲୁଟିବା ଭଳି ଘଟଣାରୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। କୌଣସି ଅଜଣା ବ୍ୟକ୍ତି ଫୋନ କରି ନିଜକୁ ବ୍ୟାଙ୍କ ଅଧିକାରୀ, ପୋଲିସ ଅଧିକାରୀ କିମ୍ବା ଅନ୍ୟ କୌଣସି ସଂସ୍ଥାର ଅଧିକାରୀ ପରିଚୟ ଦେଲେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ତଥ୍ୟ, ଓଟିପି, ପିନ, ପାସୱାର୍ଡ କିମ୍ବା ବ୍ୟାଙ୍କ ସୂଚନା ନଦେବାକୁ କୁହାଯାଇଥିଲା। ସେହିପରି ଅଜଣା ଲିଙ୍କ୍‌ କ୍ଲିକ ନକରିବା ଏବଂ ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ତଥ୍ୟ ଆଦାନପ୍ରଦାନ ନକରିବାକୁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ଏହାସହ ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ପୋଲିସକୁ ଜଣାଇବା ସହ ସାଇବର ଅପରାଧ ସମ୍ପର୍କିତ ଅଭିଯୋଗ ଶୀଘ୍ର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଆନନ୍ଦପୁର ପୋଲିସର ଏଭଳି ସଚେତନତା କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବାରେ ସହାୟକ ହେବ ବୋଲି ଉପସ୍ଥିତ ଛାତ୍ରୀଛାତ୍ରମାନେ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବାକୁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି କୁହାଯାଇଛି।

error: Content is protected !!