August 11, 2026

Now Odisha

Now Odisha

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ

Spread the love

ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର କରିଛି ଜିଲା ଶିଶୁ ସୁରକ୍ଷା ବିଭାଗ। ଉଦ୍ଧାର ନାବାଳିକାଙ୍କ ମଧ୍ୟରୁ ପୁରୁଷୋତ୍ତମପୁର ଓ ଛତ୍ରପୁର ଅଞ୍ଚଳର ୨ ଜଣ ହୋଇଥିବାବେଳେ ଅନ୍ୟ ଜଣେ ପୁରୀ ଜିଲାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ଦଲାଲ ନାବାଳିକାମାନଙ୍କୁ ଲକ୍ଷ୍ମୀ ବସ ଯୋଗେ ଛତ୍ରପୁର ରେଳ ଷ୍ଟେସନକୁ ଆଣିଥିଲେ। ସେଠାରୁ ପୁରୀ-ତିରୁପତି ଟ୍ରେନ ଯୋଗେ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ନେବାକୁ ଯୋଜନା ଥିଲା।

ଏନେଇ ଖବର ପାଇ ଜିଲା ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ରାଜଶ୍ରୀ ଦାଶ ଏବଂ ତାଙ୍କ ଷ୍ଟାଫ୍‌ମାନେ ଛତ୍ରପୁର ରେଳ ଷ୍ଟେଶନରେ ପହଞ୍ଚି ନାବାଳିକାମାନଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଧିକ ତଦନ୍ତ ଜାରି ରହିଛି।

ପ୍ରାଥମିକ ସୂଚନା ଅନୁସାରେ, ପ୍ରତ୍ୟେକ ନାବାଳିକାଙ୍କୁ ନେବା ବାବଦରେ ଦଲାଲଙ୍କୁ ୫୦୦ ଟଙ୍କା ମିଳିଥାଏ। ଉଦ୍ଧାର ହୋଇଥିବା ନାବାଳିକାମାନେ ପୂର୍ବରୁ ମଧ୍ୟ ଉକ୍ତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣାପଡ଼ିଛି। କିଛି ଦିନ ପାଇଁ ଘରକୁ ଫେରିବା ପରେ ପୁଣି ସେଠାରେ କାମ କରିବାକୁ ଯାଉଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ସେମାନଙ୍କୁ ଅଟକାଇଥିଲା।

ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗଞ୍ଜାମ ସମେତ ଅନ୍ୟାନ୍ୟ ଜିଲାର ବହୁ ନାବାଳିକା କାମ କରୁଥିବା ନେଇ ମଧ୍ୟ ସୂଚନା ମିଳିଛି। ଘଟଣାର ମୂଳ ତଦନ୍ତ କରାଯାଇ ଏହି ଚାଲାଣ ପଛରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ଦାବି ହୋଇଛି।

error: Content is protected !!