September 14, 2026

Now Odisha

Now Odisha

ତାଳଚେର ଶନିବାର ହାଟରେ ଦୁର୍ଦ୍ଦଶାର ଚିତ୍ର!କାଦୁଆ ପାଣିରେ ଖସି ଆହତ ହେଉଛନ୍ତି ଲୋକେ, ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ |

Spread the love

ତାଳଚେର ସହରର ଅନ୍ୟତମ ପ୍ରମୁଖ ବଜାର ଭାବେ ପରିଚିତ ଶନିବାର ହାଟ। ପ୍ରତି ସପ୍ତାହରେ ଏଠାକୁ ଶହ ଶହ ଲୋକ ଆସନ୍ତି ପନିପରିବା ଓ ନିତ୍ୟବ୍ୟବହାର ସାମଗ୍ରୀ କିଣିବା ପାଇଁ। କିନ୍ତୁ ହାଟର ମୌଳିକ ସୁବିଧା ଦେଖିଲେ ଲାଗୁଛି, ବିକାଶର ଚିତ୍ର ଏଠାରେ ଏବେ ବି ଅଧୁରା।
ସାମାନ୍ୟ ବର୍ଷା ହେଲେ ହାଟ ପରିସରରେ ଜମି ରହୁଛି କାଦୁଆ ପାଣି। ଠିକ୍ ଭାବେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ କାଦୁଆ ପାଣି ସହ ପନିପରିବା ବର୍ଜ୍ୟବସ୍ତୁ ମିଶି ପରିବେଶକୁ ଅସ୍ୱାସ୍ଥ୍ୟକର କରୁଛି। ଏହି କାଦୁଆ ରାସ୍ତାରେ ଚାଲିବା ବେଳେ ଗ୍ରାହକ ଓ ବେପାରୀମାନେ ଅସୁବିଧାରେ ପଡ଼ୁଛନ୍ତି। ଏପରିକି କାଦୁଆ ପାଣିରେ ଖସିପଡ଼ି ଲୋକେ ଆହତ ହେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି।
ଏତେ ବଡ଼ ହାଟରେ ଯଦି ଲୋକଙ୍କ ପାଇଁ ସୁରକ୍ଷିତ ଚଲାଚଳ ରାସ୍ତା ନଥାଏ, ତେବେ ଏହାକୁ କାହାର ବିଫଳତା ବୋଲି କୁହାଯିବ? ଏହି ପ୍ରଶ୍ନ ଏବେ ସାଧାରଣ ଲୋକ ଓ ବେପାରୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ହାଟରେ ବିଭିନ୍ନ ପ୍ରକାରର ଟୋକାଲ୍ କିମ୍ବା ଜାଗା ଭଡ଼ା ଆଦାୟ ହେଉଥିବା ସତ୍ତ୍ୱେ ହାଟର ମୌଳିକ ଭିତ୍ତିଭୂମିର ବିକାଶ କାହିଁକି ହୋଇପାରୁନାହିଁ? ଯଦି ଲୋକଙ୍କଠାରୁ ଆଦାୟ ହେଉଥିବା ଅର୍ଥରୁ ହାଟର ରକ୍ଷଣାବେକ୍ଷଣ ଓ ବିକାଶ କରାଯାଉଛି, ତେବେ ଏହାର ହିସାବ ଓ ବ୍ୟବହାର ନେଇ ସ୍ପଷ୍ଟତା ରହିବା ଆବଶ୍ୟକ ବୋଲି ବେପାରୀମାନେ ମତ ଦେଉଛନ୍ତି।
ହାଟରେ ପକ୍କା ରାସ୍ତା, ଭଲ ଡ୍ରେନେଜ୍, ନିୟମିତ ସଫେଇ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା କୁହାଯାଉଛି। ହେଲେ ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ହୋଇନଥିବାରୁ ଅସନ୍ତୋଷ ବଢ଼ୁଛି।
ଏବେ ପ୍ରଶ୍ନ ଉଠୁଛି—ସହରର ବିକାଶ ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ସନିବାର ହାଟ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନର ଏଭଳି ଦୁର୍ଦ୍ଦଶା କାହିଁକି?
ସାଧାରଣ ଲୋକଙ୍କ ସୁରକ୍ଷା ଓ ବେପାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହାଟରେ ତୁରନ୍ତ ପକ୍କା ଚଲାଚଳ ରାସ୍ତା, ଉଚ୍ଚା ସ୍ଥାନରେ ଦୋକାନ ବ୍ୟବସ୍ଥା, ସୁବ୍ୟବସ୍ଥିତ ଡ୍ରେନେଜ୍ ଓ ନିୟମିତ ପରିମଳ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଲୋକଙ୍କଠାରୁ ଆଦାୟ ହେଉଥିବା ଅର୍ଥର ବିନିମୟରେ ଲୋକଙ୍କୁ ମିଳିବ କେବେ ମୌଳିକ ସୁବିଧା?
ଏହାର ଉତ୍ତର ଏବେ ତାଳଚେରବାସୀ ଓ ଶନିବାର ହାଟର ବେପାରୀମାନେ ପ୍ରଶାସନଠାରୁ ଆଶା କରୁଛନ୍ତି।

ତାଳଚେର ରୁ କୃତିବାସ ନାୟକଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ

error: Content is protected !!