September 17, 2026

Now Odisha

Now Odisha

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର?

Spread the love

୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ ଏହି ନିଷ୍ପତ୍ତିରୁ ପଛକୁ ହଟିବେ ନାହିଁ କେନ୍ଦ୍ର ସରକାର । ବୁଧବାର ସରକାରୀ ସ୍ତରରେ ଏହା ସ୍ପଷ୍ଟ କରାଯାଇଛି । ସରକାରଙ୍କ ଅନୁସାରେ, UPI ଇକୋସିଷ୍ଟମ୍‌ର ଦୀର୍ଘକାଳୀନ ସ୍ଥାୟିତ୍ୱ ଏବଂ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ଅଣାଯାଇଛି ।

ଏକ ରିପୋର୍ଟ ଅନୁସାରେ, ବଡ଼ ମୂଲ୍ୟର UPI ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ଉପରେ MDR ଲାଗୁ କରିବା ନିଷ୍ପତ୍ତି ଫେରାଇ ନିଆଯିବ କି ବୋଲି ପଚରାଯିବାରୁ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ନିଷ୍ପତ୍ତି ହୋଇସାରିଛି ଏବଂ ଏହାକୁ ବଦଳାଇବାର ପ୍ରଶ୍ନ ନାହିଁ । ଅନ୍ୟ ଦେଶରେ ମଧ୍ୟ ଏଭଳି ଚାର୍ଜ ଲାଗୁ ହେଉଥିବା ସେ କହିଛନ୍ତି। ନୂଆ MDR ବ୍ୟବସ୍ଥା UPIକୁ ଆର୍ଥିକ ଭାବେ ଆତ୍ମନିର୍ଭର କରିବାରେ ସହାୟକ ହେବ ବୋଲି ସରକାରଙ୍କ ମତ ରହିଛି । ପ୍ରାୟ ୬ ବର୍ଷ ଧରି UPI କାରବାର ଉପରେ ସମ୍ପୂର୍ଣ୍ଣ ଶୁଳ୍କମୁକ୍ତ ବ୍ୟବସ୍ଥା ରହିବା ପରେ କେନ୍ଦ୍ର ସରକାର ମଙ୍ଗଳବାର ନୂଆ MDR ବ୍ୟବସ୍ଥା ଘୋଷଣା କରିଥିଲେ । ଅକ୍ଟୋବର ୧୫ରୁ ବ୍ୟବସାୟୀଙ୍କୁ କରାଯାଉଥିବା ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ ହେବ । ତେବେ ବ୍ୟକ୍ତିରୁ ବ୍ୟକ୍ତି (P2P) ଟଙ୍କା ପଠାଇବା ଏବଂ ଛୋଟ ମୂଲ୍ୟର ପେମେଣ୍ଟକୁ ଏହି ଶୁଳ୍କରୁ ବାଦ ଦିଆଯାଇଛି।

ସରକାରଙ୍କ ଅନୁସାରେ, UPI ପେମେଣ୍ଟ ଇକୋସିଷ୍ଟମ୍‌ର ଦୀର୍ଘକାଳୀନ ଭିତ୍ତିଭୂମିରେ ନିବେଶ ପାଇଁ ଏକ ସ୍ଥାୟୀ ରାଜସ୍ୱ ମଡେଲ୍‌ ଆବଶ୍ୟକ। ଏହା ଦ୍ୱାରା UPI ବ୍ୟବସ୍ଥାକୁ ଆର୍ଥିକ ଭାବେ ଅଧିକ ସ୍ଥାୟୀ କରାଯାଇପାରିବ।ସରକାରଙ୍କ ନିଷ୍ପତ୍ତିକୁ ନେଇ ବ୍ୟବସାୟୀ ଓ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କିଛି ରାଜନୈତିକ ଦଳ ମଧ୍ୟ ଏହି ନୂଆ ଶୁଳ୍କ ବ୍ୟବସ୍ଥାକୁ ବିରୋଧ କରିଛନ୍ତି । ବିଶେଷକରି କମ୍ ମାର୍ଜିନ୍‌ରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆପତ୍ତି ଉଠିଛି।

ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଆଇନଜୀବୀ ଅଞ୍ଜନ ଦତ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା PILରେ କେନ୍ଦ୍ର ସରକାରଙ୍କ ୧୪ ସେପ୍ଟେମ୍ବରର ଅଧିସୂଚନା ଏବଂ ୧୫ ସେପ୍ଟେମ୍ବରରେ ଘୋଷିତ MDR ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି । ଆବେଦନରେ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍‌ ଆକ୍ଟ, ୨୦୦୭ର ସଂଶୋଧିତ ଧାରା ୧୦Aର ସାମ୍ବିଧାନିକ ବୈଧତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ବିନା ସ୍ପଷ୍ଟ ନିର୍ଦ୍ଦେଶିକାରେ କେଉଁ ଡିଜିଟାଲ ପେମେଣ୍ଟ ମାଗଣା ରହିବ ତାହା ନିର୍ଦ୍ଧାରଣ କରିବାର କ୍ଷମତା କାର୍ଯ୍ୟପାଳିକାକୁ ଦିଆଯାଇଛି ବୋଲି ଆବେଦନରେ ଦାବି କରାଯାଇଛି।

error: Content is protected !!