ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଭୁଟାନ ଗସ୍ତରେ ଥିବା ମୋଦି ଆଜି ଭାରତ ଫେରିବା କ୍ଷଣୀ ସିଧା ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲଏନଜେପି) ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ସୋମବାର ବିସ୍ଫୋରଣ ପରଠାରୁ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଥିଲେ। ଡାକ୍ତରଙ୍କ ସହ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବି ସେ ପଚାରି ବୁଝିଛନ୍ତି। ସୋମବାର ରାଜଧାନୀରେ ହୋଇଥିବା କାର ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ।
ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଘଟଣା ପଛର କାରଣ ଖୋଜା ଚାଲିଛି। ଏସବୁ ଭିତରେ ମୋଦି ଆଜି ଭୁଟାନରୁ ଫେରି ହସ୍ପିଟାଲରେ ପହଞ୍ଚିବା ସହ ଆହତଙ୍କୁ ଭେଟିଛନ୍ତି। ମୋଦି ଆହତମାନଙ୍କ ସହ କଥା ହେବା ବେଳେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେମାନଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ଡାକ୍ତରମାନଙ୍କୁ କହିଛନ୍ତି।
ଭେଟଘାଟର ଫୋଟକୁ ଏକ୍ସରେ ପୋଷ୍ଟ କରି ସେ ଦୋଷୀମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ଦୋହରାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହସ୍ପିଟାଲର ପଛ ପାଖରେ ଥିବା ସ୍ୱତନ୍ତ୍ର ଗେଟରେ ମୋଦି ଭିତରକୁ ଯାଇଥିଲେ। ମୁଖ୍ୟ ଫାଟକରେ ଗଣମାଧ୍ୟମର ଭିଡ଼ ହୋଇଥିଲେ ହେଁ ମୋଦି ଅଲଗା ରାସ୍ତାରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି।
ସେ ଏକ୍ସରେ ଫଟୋ ପୋଷ୍ଟ କରି କହିଛନ୍ତି, “ଏଲଏନଜେପି ହସ୍ପିଟାଲ ଯାଇଥିଲି ଓ ଦିଲ୍ଲୀ ବିସ୍ଫୋରଣରେ ଆହତ ଲୋକଙ୍କୁ ଭେଟିଛି। ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଷଡ଼ଯନ୍ତ୍ର ପଛରେ ଥିବା ସମସ୍ତଙ୍କୁ ନ୍ୟାୟର କାଡଗଡ଼ାକୁ ଅଣାଯିବ।”

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା