ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ ମାମଲା ଥିବା ଯୋଗୁଁ ରାଜସ୍ୱ ହାନି ଘଟୁଛି। ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବିତ ହେଉଛି। ବହୁ ସରକାରୀ ଜମି ଏବେ ମଧ୍ୟ ଜବର ଦଖଲରେ ରହିଛି। ଏଥି ନେଇ ରାଜ୍ୟ ସରକାର ଏକ ବିସ୍ତୃତ ରୋଡ୍ ମ୍ୟାପ୍ ଜରିଆରେ ସମସ୍ତ ଜମିଜମା ସମସ୍ୟାର ସମାଧାନ, ଜବରଦଖଲ ଜମିକୁ ସରକାର ଅଧିନକୁ ଆଣିବା, ଭୂମିହୀନକୁ ଘର ଡିହ ଯୋଗାଇବା ସହ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଇନ୍ରେ ବ୍ୟାପକ ସଂଶୋଧନ ଆଣିବେ ବୋଲି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଆଜି ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମ୍ମିଳନୀର ପ୍ରଥମ ଦିବସର ଉଦ୍ଘାଟନୀ ଅଧିବେଶନ ପରେ ପରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଛନ୍ତି। ସମ୍ମିଳନୀର ଏହି ଅଧିବେଶନରେ ରାଜସ୍ୱ ପ୍ରଶାସନକୁ ସୁବ୍ୟବସ୍ଥିତ କରିବା, ରାଜସ୍ୱ ରେକର୍ଡର ଆଧୁନିକୀକରଣ, ଭୂ-ଅଧିଗ୍ରହଣରେ ରହୁଥିବା ସମସ୍ୟା ସଂପର୍କିତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଆଲୋଚନାରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ରାଜ୍ୟରେ ନୂତନ ସରକାର କାର୍ଯ୍ୟଭାର ହାତକୁ ନେବା ପରେ ଭୂ-ଆଇନ୍ ରେ ଅନେକଗୁଡ଼ିଏ ସଂସ୍କାର ଆଣିଛନ୍ତି। ଜମିପଟ୍ଟା ସଂଶୋଧନ ପ୍ରକ୍ରିୟାରେ ସରଳୀକରଣ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ବୃହତ୍ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଯୋଜନା ରଖିଥିବା ବେଳେ ଏଥିପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ଆବଶ୍ୟକ ଜମି ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ରହିଛି। ଏଥି ପାଇଁ ଜବରଦଖଲ ହୋଇଥିବା ସମସ୍ତ ସରକାରୀ ଜମି ଉଚ୍ଛେଦ କରାଯିବ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଜମି ଅଧିଗ୍ରହଣରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ବିକାଶ ପାଇଁ ଜିଲ୍ଲାକୁ ଦିଆଯାଉଥିବା ପାଣ୍ଠିକୁ ସଠିକ୍ ଓ ସମୟୋପଯୋଗୀ ବିନିଯୋଗ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଜିଲ୍ଲାକୁ ବହୁମୁଖୀ ଆଶ୍ରୟ ସ୍ଥଳର ରକ୍ଷଣାବେକ୍ଷଣ ଓ ସର୍ବନିମ୍ନ ସୁବିଧା ପାଇଁ ଦିଆଯାଇଥିବା ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ଉପଯୋଗ କରିବାକୁ ମନ୍ତ୍ରୀ କହିଥିଲେ। ଏଥି ସହିତ ରାଜ୍ୟରେ ଆଉ ୧୦୦ଟି ବହୁମୁଖୀ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ହେବା ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ ।
ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ ଯୋଗଦେଇ କହିଥିଲେ ଯେ, ରାଜସ୍ୱ ବ୍ୟବସ୍ଥାର ଆଧୁନିକୀକରଣ ଯୋଗୁଁ ଦୀର୍ଘ ଦିନରୁ ବକେୟା ପଡ଼ିଥିବା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ରାଜସ୍ୱ ମାମଲା ଫଇସଲା ହୋଇପାରିଛି । ସେ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ପ୍ରଶାସନକୁ ଅଧିକ ଗୁରୁତ୍ୱ ଦେବା, ଜିଲ୍ଲାରେ ରାଜସ୍ୱ ଅଧିକାରୀମାନଙ୍କୁ ନେଇ ନିୟମିତ ସମୀକ୍ଷା କରିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ବଡ଼ ବଡ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ୩ ରୁ ୫ ବର୍ଷ ଲାଗୁ ଥିବାରୁ ଏଥିରେ ସରଳୀକରଣ ପାଇଁ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜମି ଅଧିଗ୍ରହଣ କ୍ଷତି ପୂରଣ ପ୍ରଦାନରେ ବିଳମ୍ବିତ ହେଲେ ସମସ୍ୟା ଅଧିକ ଉପୁଜିଥାଏ । ରେକର୍ଡ ସଂଶୋଧନ ପ୍ରକ୍ରିୟାରେ ଜମିଜମାର ସଠିକ ତଥ୍ୟ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅଦ୍ୟାବଧି ରାଜ୍ୟରେ ପ୍ରାୟ ୧ କୋଟି ଏକର ସରକାରୀ ଜମି ରହିଛି, ଯାହା ରାଜ୍ୟର ଶିଳ୍ପ ଓ ସାମଗ୍ରିକ ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ୍ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିବା ବେଳେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର, ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟେଲ , ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇ ବିଷୟଭିତ୍ତିକ ପ୍ରସଙ୍ଗରେ ନିଜ ନିଜ ଜିଲ୍ଲାରେ ରାଜସ୍ୱ ପ୍ରଶାସନ, ରାଜସ୍ୱ ରେକର୍ଡର ଆଧୁନିକୀକରଣ ଏବଂ ଭୂ ଅଧିଗ୍ରହଣ ସମସ୍ୟା ଓ ସମାଧାନ ସଂପର୍କିତ ନିଜ ନିଜର ଉପସ୍ଥାପନ କରିବା ସହିତ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଜମିଜମା ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବ ନଭେମ୍ବର ଶେଷ ସୁଦ୍ଧା ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାପାଳମାନେ ରାଜସ୍ୱ ଆଇନ୍ରେ ଆବଶ୍ୟକ ସଂଶୋଧନ ସଂପର୍କିତ ପ୍ରସ୍ତାବ ଆଗାମୀ ଫେବୃୟାରୀ ମାସ ସୁଦ୍ଧା ରାଜସ୍ୱ ବିଭାଗକୁ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |