January 26, 2026

Now Odisha

Now Odisha

ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରଦାନ

Spread the love

୨୦୨୩,୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ

୩ ବର୍ଷ ପାଇଁ ୬ଜଣଙ୍କୁ ପ୍ରଦାନ କରାଗଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସର୍ବମୋଟ ୧୩୪ଜଣ କଳାକାର ପୁରସ୍କୃତ

କଳା ଜଗତର ସାରସ୍ୱତ ପ୍ରତିଭାମାନେ ହେଉଛନ୍ତି ଚିର ନମସ୍ୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୨୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ୨୦୨୩,୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।୩ ବର୍ଷ ପାଇଁ ସର୍ବମୋଟ ୧୩୪ଜଣ କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (ସର୍ବୋଚ୍ଚ ସମ୍ମାନ) ୬ଜଣଙ୍କୁ ପ୍ରଦାନ କରାଯାଇଛି।

୨୦୨୩ ବର୍ଷ ପାଇଁ ଡ଼. ପ୍ରଣବ କିଶୋର ପଟ୍ଟନାୟକ, ଶ୍ରୀ ବାଦଲ ଶିକଦାର, ୨୦୨୪ ବର୍ଷ ପାଇଁ ଶ୍ରୀ ମୋହିନୀ ମୋହନ ପଟ୍ଟନାୟକ, ଶ୍ରୀ ସୁଧାକର ସାହୁ ଏବଂ ୨୦୨୫ ବର୍ଷ ପାଇଁ ଶ୍ରୀ ଘନଶ୍ୟାମ ପଣ୍ଡା ଓ ଶ୍ରୀ ଭାଗବତ ପ୍ରଧାନଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରାଯାଇଛି।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କା, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ସମ୍ମାନରେ ସମ୍ମାନିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨.୫ଲକ୍ଷ ଟଙ୍କା, ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨ଲକ୍ଷ ଟଙ୍କା, ଉପାୟନରେ ସମ୍ମାନିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧ଲକ୍ଷ ଟଙ୍କା ଏବଂ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୧୩୪ଜଣ ପ୍ରତିଭାଙ୍କୁ ସର୍ବମୋଟ ୨.୫କୋଟିରୁ ଉର୍ଦ୍ଧ୍ୱ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଆମ କଳାଜଗତର ସାରସ୍ୱତ ପ୍ରତିଭାମାନେ ଜୀବନବ୍ୟାପୀ ସାଧନା କରି ଉତ୍କର୍ଷ କଳାର ରାଜ୍ୟ ଓଡ଼ିଶାର କଳା ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ନିଜର ଯୋଗଦାନ ଦେଇଛନ୍ତି। ଆପଣମାନେ ଆମ ପାଇଁ ଚିର ନମସ୍ୟ। ଓଡ଼ିଶାର କଳାକୁ ବିଶ୍ୱବିଦିତ କରିବା ଦିଗରେ ଆପଣମାନେ ସର୍ବଦା ନିଜର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ମୋର ବିଶ୍ୱାସ।”

ବିଶିଷ୍ଟ କଳାକାର ତଥା ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ଦିଗରେ କଳାକାରମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ପୁରସ୍କାର ବିଜେତାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

error: Content is protected !!