ଭୁବନେଶ୍ୱର, : ଦକ୍ଷିଣ କୋରିଆର ଖ୍ୟାତନାମା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସଡବ୍ଲ୍ୟୁର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲାର ପାଟଣାଠାରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖଣିବହୁଳ କେନ୍ଦୁଝର ଜିଲା ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ। ଇସ୍ପାତ କାରଖାନା ଦାବି କେନ୍ଦୁଝରବାସୀଙ୍କର ସବୁଠୁ ପୁରୁଣା ଓ ବଡ଼ ଦାବି ଥିଲା। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଖଣିବହୁଳ ରାଜ୍ୟରେ ଚାରୋଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ତିନୋଟି ଇସ୍ପାତ କାରଖାନା ପ୍ରତିଷ୍ଠା ସରିଛି; କିନ୍ତୁ ଇଚ୍ଛାଶକ୍ତିର ଅଭାବରୁ ଓଡ଼ିଶା ଏଥିରୁ ବଞ୍ଚିତ ଥିଲା। ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ଆଜି ବିଶ୍ୱର ବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଏହା ସ୍ଥାପନ ହେବାକୁ ଯାଉଛି। ଏହି ଇସ୍ପାତ କାରଖାନା କେନ୍ଦୁଝର ଜିଲା ଓ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ କରିବ। ଆଗାମୀ ଦିନରେ ପାଟଣା ଅଞ୍ଚଳ ମଧ୍ୟ ରାଉରକେଲା ଭଳି ଏକ ଅତ୍ୟାଧୁନିକ ସହରରେ ପରିଣତ ହେବ। ଏହି ପରିପ୍ରେକ୍ଷୀରେ ଗୁରୁବାର କେନ୍ଦୁଝର ଜିଲାର
ପ୍ରାୟ ସମସ୍ତ ଅଞ୍ଚଳର ଆଦିବାସୀ ମଞ୍ଚ, ଯୁବ ଛାତ୍ରସାମ୍ମୁଖ୍ୟ, ନାଗରିକ ମଞ୍ଚ, ପ୍ରେସ୍ କ୍ଲବ, ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧିମାନେ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ ପାଟଣା ବିଧାୟକ ଅଖିଳ ନାୟକ ଏବଂ ତେଲକୋଇ ବିଧାୟକ ଡ. ଫକୀର ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଡବଲ ଇଞ୍ଜିନ ସରକାରରେ କେବଳ କେନ୍ଦୁଝର ନୁହେଁ ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ ହେବ। ଓଡ଼ିଶା ପାଇଁ ଅନେକ ବଡ଼ ବଡ଼ ପ୍ରକଳ୍ପ କେନ୍ଦ୍ର ସରକାର ମଞ୍ଜୁର କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ତାରିଣୀ ଏବଂ ପ୍ରଭୁ ବଳଦେବ ଜୀଉଙ୍କ ଆଶୀର୍ବାଦରୁ ଆଜି ଜିଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏହା ମାଧ୍ୟମରେ କେନ୍ଦୁଝର ଜିଲା ସହିତ ସମଗ୍ର ରାଜ୍ୟର ବିକାଶ ହେବ। ଏଥିପାଇଁ ଜିଲାବାସୀ ବିଶେଷକରି ପାଟଣା ଅଞ୍ଚଳବାସୀ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |