ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେ ହେଲେ ଖଜୁରୀପଡା ଥାନା ଅଞ୍ଚଳର ବିଷ୍ଣୁ ଚରଣ ବେହେରା ଓରଫ ପିଙ୍କୁ ।
ମିଳିଥିବା ସୂଚନା ଅନୁସାରେ ୨୦୨୩ ସେପ୍ଟେମ୍ବର ୧୯ରେ ଫୁଲବାଣୀ ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ଭାଇଙ୍କ ସହ ସ୍ଥାନୀୟ ପୋଲିସ ସ୍କୁଲକୁ ଗଣେଶ ପୂଜା ଦେଖିବାକୁ ଯାଇଥିଲେ।
ସେଠାରେ ବିଷ୍ଣୁଙ୍କ ସହ ତାଙ୍କର ଭେଟ ହୋଇଥିଲା। ବିଷ୍ଣୁ ହେଉଛନ୍ତି ନାବାଳିକାଙ୍କ ମାମୁଘର ପାଖର। ସେ ବି ନାବାଳିକାଙ୍କ ଘରକୁ ଯିବା ଆସିବା କରୁଥିଲେ। ଉଭୟଙ୍କ ମଧ୍ୟରେ ପରିଚିତି ଥିଲା। ଏହି ସମୟରେ ବିଷ୍ଣୁ ନାବାଳିକାଙ୍କୁ ଗଣେଶ ପୂଜା ଦେଖିବାକୁ ଯିବା କହି ଗାଡ଼ିରେ ବସିବାକୁ କହିଥିଲେ। ପାଖରେ ଥିବା ଭାଇ ମିଶିକି ଯିବା କହିବାରୁ ବିଷ୍ଣୁ ତାଙ୍କୁ ଠେଲି ନାବାଳିକାଙ୍କୁ ଧରି ମାଧପୁର ଚାଲିଯାଇଥିଲେ। ସେଠାରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ।
ସେପଟେ ଭାଇ ଘଟଣା ବିଷୟରେ ଘରେ କହିଥିଲେ। ରାତି ପ୍ରାୟ ୮ଟାରେ ନାବାଳିକାଙ୍କ ମା’ ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ.୨୩୭/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ବିଷୟରେ ବିଷ୍ଣୁ ଜାଣିବା ପରେ ୨୨ ତାରିଖରେ ନାବାଳିକାଙ୍କୁ ଆଣି ଥାନା ପାଖ ପୋଷ୍ଟ ଅଫିସ ପାଖରେ ଛାଡ଼ି ପଳାଇଥିଲେ। ନାବାଳିକା ଥାନାକୁ ଯାଇ ସବୁ କଥା କହିଥିଲେ। ପୋଲିସ ବିଷ୍ଣୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସାନ ଭାଇଙ୍କ ବୟାନ, ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ମେଡିକାଲ ରିପୋର୍ଟକୁ ଆଧାର କରି ବିଚାରପତି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |