January 25, 2026

Now Odisha

Now Odisha

ଦିଲ୍ଲୀ ଯାଉଛନ୍ତି ନବୀନ-ମନମୋହନ, ରାଜ୍ୟ ରାଜନୀତିରେ ବଡ଼ ହଲଚଲ!

Spread the love

 
ଭୁବନେଶ୍ୱର, ୭।୯: ଓଡ଼ିଶାର ରାଜନୈତିକ ମହଲରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। କାରଣ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ ନେଇ ସଙ୍କେତ ଦେଉଛି ବୋଲି ଅନୁମାନ କରାଯାଉଛି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଗସ୍ତ କରିଛନ୍ତି। ବଡ଼କଥା ହେଉଛି ଯେ, ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଓଡ଼ିଶା ଫେରିଥିଲେ। ତାଙ୍କର ଏହି ବାରମ୍ବାର ଦିଲ୍ଲୀ ଗସ୍ତ ଏବେ ରାଜ୍ୟ ରାଜନୀତିରେ ନୂଆ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ସାମଲ ଦିଲ୍ଲୀରେ କେନ୍ଦ୍ରୀୟ ଭାଜପା ନେତୃତ୍ୱଙ୍କୁ ଭେଟି ରାଜ୍ୟ କମିଟି, ବୋର୍ଡ ନିଗମ ଏବଂ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଏହାପୂର୍ବରୁ ସେ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିବା ଏବଂ ୧୮ ଜଣ ଏମପିଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି।
ଅନ୍ୟପଟେ, ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ହୋଇଥାଇପାରେ ବୋଲି ଏହାକୁ ନେଇ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ଚାଲିଛି। ସୂଚନା ଅନୁଯାୟୀ, ନବୀନ ଦିଲ୍ଲୀରେ ବିଜେଡି ଏମପିଙ୍କ ସହ ଆଲୋଚନା କରିପାରନ୍ତି, ଯେଉଁଥିରେ ଉପରାଷ୍ଟ୍ରପତି ର୍ନିବାଚନ ସମ୍ପର୍କିତ ରଣନୀତି ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ଉପରାଷ୍ଟ୍ରପତି ର୍ନିବାଚନକୁ ନେଇ ଏନଡିଏ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ତୀବ୍ର ରାଜନୈତିକ ଗତିବିଧି ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଏବଂ ନବୀନ ପଟ୍ଟନାୟକଙ୍କ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହାପୂର୍ବରୁ ନବୀନ ଉସୁସ୍ଥ ଥିବା ସମୟରେ ଦିଲ୍ଲୀରୁ ନବୀନଙ୍କୁ ଘନଘନ ଫୋନ ଆସୁଥିବା ଦେଖାଯାଇଛି। ତାଙ୍କର ଅସୁସ୍ଥତା କାରଣ ବୁଝିବା ସହ ଖୁବଶୀଘ୍ର ଦିଲ୍ଲୀ ଆସିବାକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଆଉ ଏହି ନିମନ୍ତ୍ରଣ କେବଳ ଭାଜପା ନୁହେଁ କଂଗ୍ରେସରୁ ମଧ୍ୟ ମିଳିଥିଲା। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି, ନବୀନଙ୍କୁ ସେହି ସମୟରେ ଦିଲ୍ଲୀ ଆସିବାକୁ ଅନୁରୋଧ କରିଥିଲେ।
ମନମୋହନ ସାମଲଙ୍କ ଗସ୍ତକୁ ଓଡ଼ିଶାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହ ମଧ୍ୟ ଯୋଡ଼ି ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାର ରାଜ୍ୟରେ କାର୍ଯ୍ୟ କରୁଥିବା ବେଳେ, ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ଯୋଗ ହେବା ନେଇ ଜଳ୍ପନା ଜାରି ରହିଛି। ଏହାକୁ ନେଇ ସାମଲଙ୍କ ଦିଲ୍ଲୀ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

error: Content is protected !!