ଭୁବନେଶ୍ୱର, ୨୫ ।୧: ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ୍ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଆଜି ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜିତ ହୋଇଯାଇଛି । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଏହି ପ୍ରୟାସ ଆରମ୍ଭ କରିଆସୁଛନ୍ତି ।
ମାରାଥନ ମାଧ୍ୟମରେ ସମସ୍ତଙ୍କୁ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି- ଫିଟନେସ୍ ରହିବା ଯେଭଳି ସମସ୍ତଙ୍କ ପାଇଁ ଆବଶ୍ୟକ ସେହିପରି ଜଳ, ବାୟୁ, ମାଟି ଓ ଶିକ୍ଷା ମଧ୍ୟ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଚଳିତ ବର୍ଷ ଓଡ଼ିଶାର ୩୫ଟି ସ୍ଥାନ ଓ ଭାରତର ବିଭିନ୍ନ ସ୍ଥାନରେ ଏହି ମିନି ମାରାଥନ ଆୟୋଜନ କରାଯାଇଥିଲା । ଏହାର ଏକ ଅଂଶ ବିଶେଷ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ତୃତୀୟ ସଂସ୍କରଣରେ ୬ ହଜାରରୁ ଊର୍ଦ୍ଧ୍ୱ ମହିଳା ପାଟ ଶାଢ଼ି ପିନ୍ଧି ଦୌଡ଼ିଥିଲେ । ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଟାଥନ ଆୟୋଜନ କରାଯାଉଛି ।
କିଟ୍, କିସ୍ ଓ କିମ୍ସର ୫ହଜାର ମହିଳା କର୍ମଚାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଶିଖରଚଣ୍ଡୀ ମନ୍ଦିର ଛକରୁ କିସ୍ ଆଥଲେଟିକ୍ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ ।
ଏହି ଗଣଦୌଡ଼ରେ ସୁନ୍ଦରଗଡ଼ର ସୁସ୍ମିତା ଟିଗା ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା ଜିଣିଥିବା ବେଳେ ଦିପ୍ତିରାଣୀ ସାହୁ ଦ୍ୱିତୀୟ ଓ କଟକର ବାସନ୍ତୀ ମୁଣ୍ଡା ତୃତୀୟ ହୋଇ ଯଥାକ୍ରମେ ୪୦ ହଜାର ଓ ୩୦ ହଜାର ଟଙ୍କା ପୁରସ୍କାର ଜିତିଥିଲେ । ସେହିପରି ୭ଜଣ ରନର୍ସଅପ୍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବିଜୟୀଙ୍କୁ ପାଟଶାଢ଼ି ପ୍ରଦାନ କରାଯାଇଥିଲା ।

More Stories
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |
ହାଇଦ୍ରାବାଦର ନାମପଲ୍ଲିରେ ଭୟଙ୍କର ଅଗ୍ନିକାଣ୍ଡ, |