February 4, 2026

Now Odisha

Now Odisha

ନାରୀ ନିର୍ଯାତନା ମାମଲାରେ ବିଜେପି ନେତାଙ୍କ ସମ୍ପୃକ୍ତି ଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ: ବିଜେଡି |

Spread the love

ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀଙ୍କ ବିରୁଦ୍ଧରେ ମହିଳା ଅପହରଣ ଅଭିଯୋଗ

ପ୍ରାୟ ଏକ ମାସ ପରେ ମଧ୍ୟ ମହିଳାଙ୍କ ପତ୍ତା ମିଳୁନାହିଁ ,ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର,:-ରାଜ୍ୟରେ ମହିଳା ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଏହି ମାମଲା ଗୁଡିକରେ ବିଜେପି ନେତା ମାନଙ୍କ ସମ୍ପୃକ୍ତି ରହୁଛି ଏବଂ ଏମାନଙ୍କୁ ରାଜ୍ୟ ବିଜେପି ସରକାର ସୁରକ୍ଷା ପ୍ରଦାନ କରୁଛନ୍ତି, ଯେଉଁଥିପାଇଁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଶପଲ୍ଲା ବିଜେଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଓ ଦଳର ପ୍ରବକ୍ତା ଶ୍ରୀମତୀ ଲୋରା ମହାପାତ୍ର କହିଥିଲେ, ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଶ୍ରୀ ବେହେରା କହିଥିଲେ, ଦଶପଲ୍ଲା ବିଧାନସଭା ଆସନ ପାଇଁ ଗତ ନିର୍ବାଚନରେ ହୋଇଥିବା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ରାଘବ ମଲ୍ଲିକ ଜଣେ ବିବାହିତ ତଥା ଦୁଇଟି ସନ୍ତାନର ମା’କୁ ଅପହରଣ କରିନେଇ ନିଜ କବ୍ଜାରେ ରଖିଛନ୍ତି ବୋଲି ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଡିସେମ୍ୱର ୩୧ ତାରିଖରୁ ମହିଳା ଜଣକ ଅପହୃତ ହୋଇଥିବା ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ସୁତରାଂ ମହିଳା ଜଣଙ୍କର କୌଣସି ପତ୍ତା ମିଳି ପାରିନାହିଁ । ମହିଳାଙ୍କ ସ୍ୱାମୀ ତାଙ୍କ ପତ୍ନୀ ରାଘବଙ୍କ ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ କରିବା ସହିତ ରାଘବ ଓ ତାଙ୍କ ପତ୍ନୀଙ୍କ ସହିତ ହୋଇଥିବା ହ୍ୱାଟ୍ସଆପ୍ ଚାର୍ଟକୁ ଥାନାରେ ପ୍ରମାଣ ସ୍ୱରୂପ ଦାଖଲ କରିଛନ୍ତି । ଚାର୍ଟରେ ରାଘବ ମହିଳା ଜଣଙ୍କୁ ପ୍ରେମ ନିବେଦନ କରୁଛନ୍ତି । ଏହାଛଡା ରାଘବ ମହିଳାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଶ୍ରୀ ବେହେରା କହିଥିଲେ, ରାଜ୍ୟରେ ବଢ଼ି ଚାଲିଥିବା ମହିଳା ନିର୍ଯାତନା ମାମଲାରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି ବୋଲି ଯେଉଁ ଅଭିଯୋଗ ହୋଇ ଆସୁଛି, ତାର ସଦ୍ୟତମ ଉଦାହରଣ ହେଉଛି ଏହି ଘଟଣା । ଦୁଃଖ ଓ ପରିତାପର ବିଷୟ, ବିଜେପି ସରକାର ବିଭିନ୍ନ ଅପରାଧରେ ସମ୍ପୃକ୍ତ ତାଙ୍କ ଦଳର ନେତା ଓ କର୍ମୀ ମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ଯେଉଁଥିପାଇଁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ଆମେ ଘୋର ନିନ୍ଦା କରୁଛୁ ଓ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଛୁ । ଯଦି ପରିସ୍ଥିତିରେ କୌଣସି ସୁଧାର ନଆସେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

ଶ୍ରୀମତୀ ଲୋରା ମହାପାତ୍ର କହିଥିଲେ, ବିଜେପି କ୍ଷମତାସୀନ ହେବା ପରଠାରୁ ନାରୀ ନିର୍ଯାତନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୧୮ ମାସରେ ରାଜ୍ୟରେ ୪୦,୦୦୦ରୁ ଊଦ୍ଧ୍ୱର୍ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଏହା ମଧ୍ୟରେ ୪୦୦୦ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହାଛଡା ମହିଳା ନିର୍ଯାତନାର ଅନେକ ଘଟଣାରେ ବିଜେପି ନେତାଙ୍କ ସମ୍ପୃକ୍ତି ସାମ୍ନାକୁ ଆସୁଛି । ଗତକାଲି ଖଣ୍ଡପଡ଼ାର ବିଜେପି ବିଧାୟକ ସେଠାକାର ମହିଳା ବ୍ଲକ ଅଧ୍ୟକ୍ଷାଙ୍କୁ ମିଟିଂ ସମୟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । କିଛିଦିନ ତଳେ ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଲଳିତ ବେହେରା ମହିଳା ବିଡ଼ିଓଙ୍କ ଉପରେ ଆକ୍ରମଣ କରିଥିଲେ । ଏବେ ଏହି ତାଲିକାରେ ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାମ ଯୋଡ଼ା ହୋଇଛି । ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ଏହିଭଳି ମାମଲା ଗୁଡିକରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ତାଙ୍କ ସରକାରରେ ନାରୀ ସୁରକ୍ଷା ସର୍ବୋପରି ବୋଲି କହୁଛନ୍ତି, କିନ୍ତୁ ତାଙ୍କ ଦଳର ନେତାଙ୍କ ସମ୍ପୃକ୍ତି ରହିଲେ, ଆଇନ ବ୍ୟବସ୍ଥା ହୁଗୁଳା ହୋଇଯାଉଛି । ରାଜ୍ୟ ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ତାଙ୍କର ଏହି ଆଭିମୁଖ୍ୟକୁ ପରିବର୍ତ୍ତନ କରନ୍ତୁ, ନଚେତ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

error: Content is protected !!