February 4, 2026

Now Odisha

Now Odisha

ବିରଞ୍ଚିନାରାୟଣ ପୀଠରେ ଆରମ୍ଭ ହୋଇଛି ଐତିହାସିକ ଗୁଣ୍ଡୁଣୀ ମେଳା, ମାନସିକ ପୂରଣ ପାଇଁ ଲାଗୁଛି ଭିଡ |

Spread the love

ପ୍ରଥମ ଅର୍କକ୍ଷେତ୍ର ଭାବେ ପରିଚିତ ଭଦ୍ରକ ଜିଲ୍ଲାର ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ପୀଠରେ ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇଛି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ୫ ଦିନ ଧରି ଚାଲିବ । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି କମିଟି ତଥା ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି।ଐତିହ୍ୟ ଏବଂ ପରମ୍ପରାର ଗାଥା ବହନ କରିଛି ଏହି ବିରଞ୍ଚିନାରାୟଣ ପୀଠରେ ଗୁଣ୍ଡୁଣୀ ମେଳା । ବିରଞ୍ଚିନାରାୟଣ ପୀଠରେ ସୂର୍ଯ୍ୟପୂଜା କରାଯାଉଥିବା ବେଳେ ଚର୍ତୁର୍ଦ୍ଦାମୁଖୀ ବ୍ରହ୍ମା ମନ୍ଦିର ଭାବେ ପରିଚିତ ବହୁ ଗରୁତ୍ୱ ବହନ କରିଛି । ଏକଦା କଳାପାହାଡ ଆକ୍ରମଣର ଶିକାର ହୋଇଥିଲା ଏହି ମନ୍ଦିର ।ପ୍ରତିବର୍ଷ ଅଗ୍ନିତ୍ସୋବ ପରଦିନ ଏଠାରେ ଏହି ପର୍ବ ପାଳନ କରାଯାଇଥାଏ । କୁହାଯାଏ ଏହି ସ୍ଥାନରେ ଏକ ପ୍ରାଚୀନ ବନ୍ଦର ଥିଲା । ଯାହାର ନାମ ଗୁଣ୍ଡୁଣୀ ଭାବେ ବର୍ଣ୍ଣିତ ରହିଛି । ଏହାର ନାମକରଣ ଅନୁସାରେ ଏହା ଗୁଣ୍ଡୁଣୀ ଯାତ୍ରା ଭାବେ ପାଳନ କରା ଯାଉଛି । ଅର୍କକ୍ଷେତ୍ର ଭାବେ କୋଣାର୍କ ମନ୍ଦିରକୁ ବିବେଚନା କରାଗଲେ ତାହା ତ୍ରୟୋଦଶ ଶତାବ୍ଦୀରେ କିନ୍ତୁ ବିରଞ୍ଚିନାରାୟଣ ମନ୍ଦିର ନବମ ଶତାଦ୍ଧୀରେ ନିର୍ମାଣ କରା ଯାଇଥିବା ଐତିହାସିକ ତଥ୍ୟ ରହିଛି । ପ୍ରସିଦ୍ଧ ଗୁଣ୍ଡୁଣି ମେଳା ଯାତ୍ରାରେ ଫୁଲଛତା ମାନସିକ କରି କୁଷ୍ଠ ଓ ଛଉପରି ରୋଗରୁ ଲୋକେ ମୁକ୍ତି ପାଉଥିବା ଲୋକ ବିଶ୍ବାସ ରହିଛି । ଏହି ଯାତ୍ରାରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ବିଭିନ୍ନ ସ୍ଥାନରୁ ଆସି ଫୁଲ ଛତା ଅର୍ପଣ କରିଥାଆନ୍ତି ।କୁହାଯାଏ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାକୁ ଆସି ପୂର୍ବରୁ ଥିବା ଏଠାରେ ଥିବା ସମୂଦ୍ର କୂଳରେ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ହୋଇଥିଲେ ।ମାଘ ଷଷ୍ଠୀ ଦିନ ଚୂଳଚଢା ପର୍ବରେ ଉପାସନ କରି ଗୁଣ୍ଡୁଣୀ ମେଳା ଦିନ ଫେରିଥିଲେ । ଏଣୁ କୌଣସି ଲୋକର ଚର୍ମ ରୋଗ ହେଲେ ପ୍ରଭୁ ବିରଞ୍ଚିନାରାୟଣଙ୍କ ଉଦ୍ଦେଶ୍ୟରେ ଫୁଲଛତା ମାନସିକ କରିଥାଆନ୍ତି ବୋଲି ଏଠାରେ ଏକ ବିଶ୍ୱାସ ଆଜି ସୁଦ୍ଧା ରହିଛି । ଐତିହାସିକମାନେ ଏହାକୁ ସୂର୍ଯ୍ୟ ଉପାସନ କ୍ଷେତ୍ର ବୋଲି ଚିହ୍ନିତ କରିଥାଆନ୍ତି ।ଏହି ମନ୍ଦିରର ଚାରୋଟି ଦ୍ୱାରଦେଶ ରହିଛି। ପ୍ରଭୁ ବିରଞ୍ଚିନାରାୟଣ ରଥାରୂଢ ହୋଇଛନ୍ତି ।ରଥ ଉପରେ ମନ୍ଦିରର ଅବସ୍ଥିତ ଓଡିଶାର କାରୁକାର୍ଯ୍ୟ ଶିଳ୍ପ ନୈପୁଣ୍ୟତାର ନିଦର୍ଶନ ।
ମନ୍ଦିର ପ୍ରସ୍ତରରେ ପ୍ରାଚୀନ କାରୁକାର୍ଯ୍ୟ ଓ ବିଭିନ୍ନ ବିଗ୍ରହର ଭଙ୍ଗିିରୁ କୋଣାର୍କ ଶିଳ୍ପର କାରୁକାର୍ଯ୍ୟ ପରିଲକ୍ଷିତ ହୁଏ । ଏବେ ଏହି ମନ୍ଦିରର ପୂର୍ଣ୍ଣ ବିନ୍ୟାଶ ତଥା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଅତିଥି ଭବନ, ପାର୍କିଂ ସ୍ଥଳ ନିର୍ମାଣ ଓ ପାଚେରୀ ମରାମତି ଆଦି କେତେକ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଜଣାଯାଇଛି । ଏହି ସର୍ବ ପ୍ରାଚୀନ ମନ୍ଦିରର ଭୌଗଳିକ ଅବସ୍ଥିତି ଓ ପ୍ରାଚୀନତା ଉପରେ ଯଦି ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଗବେଷଣା ହୁଅନ୍ତା, ତେବେ ଅନେକ ବିଲୁପ୍ତ ଇତିହାସ ଉନ୍ମୋଚିତ ହୋଇ ପାରନ୍ତା । ତେଣୁ ଏନେଇ ସରକାରଙ୍କ ପକ୍ଷରୁ ବିହୀତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ଆଲୋଚନା ହେଉଛି ।ଏହି ଗୁଣ୍ଡୁଣି ମେଳା ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ଚୂନଭାଟି ମେଳନ କମିଟି,ପାଳିଆବିନ୍ଧାର ସଭାପତି ଚକ୍ରଧର ରାଉତ,ସଂପାଦକ ତାରାକାନ୍ତ ପଲ୍ଲାଇ ଏବଂ ସଦସ୍ୟ ବିଜୟ କୁମାର ପାତ୍ର,ଗଦାଧର ରାଉତ,ତପନ ମହାଳିକ, ସୁଶାନ୍ତ ଦାସ,ସେକ ଜୁଗୁ ଆଦି ସଦସ୍ୟଙ୍କ ପୂର୍ଣ୍ଣ ତତ୍ତ୍ବାବଧାନରେ ପରିଚାଳିତ ହେଉଛି ।

error: Content is protected !!