ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଛି ଗୁରୁତର ଅଭିଯୋଗ।
ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ମନମୁଖୀ ଶାସନ ଓ ପରିଚାଳନାଗତ ଅନିୟମିତତା ବିରୋଧରେ ଏକତ୍ରିତ ହୋଇଛନ୍ତି କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ସୁପରଭାଇଜର ।
ମୋହନା ବ୍ଲକରେ କାର୍ଯ୍ୟରତ ୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସମସ୍ତ କର୍ମଚାରୀ ଆଜିଠାରୁ ନିଜ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୁହିକ ଛୁଟିରେ ରହିବାକୁ ନେଇଛନ୍ତି ନିଷ୍ପତି। ଏ ନେଇ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
କର୍ମଚାରୀମାନଙ୍କ ଅଭିଯୋଗ ପ୍ରକାରେ, ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜୟ ପଣ୍ଡା ଦୀର୍ଘ ତିନି ବର୍ଷ ଧରି ଏଠାରେ ରହି ଏକଛତ୍ରବାଦୀ ଭାବେ କାର୍ଯ୍ୟଚାଳନା କରୁଛନ୍ତି। କର୍ମଚାରୀଙ୍କ ନ୍ୟାୟସଂଗତ ଦାବିକୁ ଅଗ୍ରାହ୍ୟ କରି, ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରାଯାଉଥିବା ଉଠିଛି ଅଭିଯୋଗ।
ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ଅନାବଶ୍ୟକ ବିଳମ୍ବ, ଛୁଟି ଦେବାରେ ଅସ୍ୱୀକାର, ଦରମା ପ୍ରଦାନରେ ଢିଲାପଣ, ବିଭିନ୍ନ କାର୍ଯ୍ୟ ଓ ବିଲ ପାସ କରିବା ପାଇଁ ଲାଞ୍ଚ ମାଗିବା, ସରକାରୀ ଅନୁଦାନ ଓ ବୋନସ ଅଟକାଇ ରଖିବା, ଏବଂ କର୍ମଚାରୀଙ୍କୁ LIC କରିବାକୁ ବାଧ୍ୟ କରାଯାଉଥିବା ଭଳି ହୋଇଛି ଗୁରୁତର ଅଭିଯୋଗ।
ଏହି ସମସ୍ତ ଦାବି ନେଇ ୨୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସୁପରଭାଇଜର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମିଳିତ ଦାବିପତ୍ର ଦେବାକୁ ଯାଇଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣା ନ ହେବାରୁ ଶେଷରେ ସେମାନେ ମୋହନା ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ତହସିଲଦାରଙ୍କ ଠାରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।
ତହସିଲଦାର ସମସ୍ତ ଅଭିଯୋଗ ଶୁଣି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।

More Stories
ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଶିଶୁ ଝିଅ ।
ବିଦେଶରୁ ଫେରି ତୁରନ୍ତ ମନ୍ତ୍ରୀ ପରିଷଦ ବୈଠକ ଡ଼ାକିଲେ ପ୍ରଧାନମନ୍ତ୍ରୀ
ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା |