ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ବାହାମ୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୬୪ ମସିହାରେ ସ୍ଥାପିତ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଜଙ୍ଗଲଘେରା ଏହି ଆଦିବାସୀ ପ୍ରଧାନ ଅଞ୍ଚଳରୁ ପ୍ରଚୁର ପରିମାଣରେ ରାଜସ୍ୱ ସରକାରଙ୍କୁ ଯାଉଥିବା ସତ୍ତ୍ୱେ ଏଠାର ମୌଳିକ ସୁବିଧାର ଦୃଶ୍ୟ ଦୟନୀୟ ରହିଛି। ବିଶେଷକରି ଶିକ୍ଷାର ମନ୍ଦିର ଭାବେ ପରିଚିତ ଏହି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ ଚିନ୍ତିତ ହୋଇପଡ଼ିଛନ୍ତି।
ବିଦ୍ୟାଳୟର ଛାତ ଅତ୍ୟନ୍ତ ଜର୍ଜରିତ ହୋଇପଡ଼ିଥିବାରୁ କେବେ କଣ ସମୟରେ ଭୁଶୁଡ଼ି ପଡ଼ିବ ଭାବି ଅଭିଭାବକମାନେ ଭୟଭୀତ ଅଛନ୍ତି। ଏହି କାରଣରୁ ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବାକୁ ଭୟ କରୁଛନ୍ତି। ଅନ୍ୟପଟେ ଶିକ୍ଷକମାନେ ମଧ୍ୟ ଭୟରେ ରହି ବିଦ୍ୟାଳୟ କକ୍ଷରେ ପାଠ ପଢ଼ାଇବାକୁ ସାହସ କରୁନାହାନ୍ତି, ଫଳରେ ପିଲାମାନଙ୍କୁ ବାରଣ୍ଡାରେ ବସାଇ ପାଠ ପଢ଼ାଯାଉଛି। ବର୍ଷା ଦିନରେ ପଢ଼ାଶୁଣା ପୂରାପୂରି ବାଧାଗ୍ରସ୍ତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତାରେ ପଡ଼ିଛି।
ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରଶାସନ ବର୍ଷେ ପୂର୍ବରୁ ବିଦ୍ୟାଳୟକୁ ଯାଇ ଅବସ୍ଥା ନିରୀକ୍ଷଣ କରିଥିଲେ ଓ ଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଲୋକମାନଙ୍କ ମନରେ ଅସନ୍ତୋଷ ବଢ଼ିଚାଲିଛି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଥିବା ସତ୍ତ୍ୱେ ବର୍ଷ ଗଡ଼ିଯାଇଛି, କିନ୍ତୁ ବିଦ୍ୟାଳୟ ମରାମତି କେବେ ହେବ ତାହା ଅସ୍ପଷ୍ଟ ରହିଛି।
ଶିକ୍ଷା ହେଉଛି ଦେଶର ଭବିଷ୍ୟତ ଗଢ଼ିବାର ଭିତ୍ତି, କିନ୍ତୁ ଭଙ୍ଗା ଛାତ ତଳେ ପଢ଼ୁଥିବା ଏହି ନିର୍ଦ୍ଦୋଷ ପିଲାମାନଙ୍କ ସୁରକ୍ଷା ଓ ଭବିଷ୍ୟତ ପ୍ରତି ପ୍ରଶାସନ କେବେ ସଚେତନ ହେବ ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ସ୍ଥାନୀୟ ଲୋକମାନେ ଶୀଘ୍ର ବିଦ୍ୟାଳୟର ମରାମତି କରି ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ପରିବେଶରେ ପଢ଼ାଶୁଣାର ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।

More Stories
ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି : ପୁରୀ ଶଙ୍କରାଚାର୍ଯ୍ୟ
ଟ୍ରାଭେଲ୍ସ ବସ୍ – ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ |