May 27, 2026

Now Odisha

Now Odisha

ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାଫଳ ପ୍ରକାଶ: ବୁବୁନ ସାହୁ ଟପର୍‌, ୨୦୦ ପ୍ରାର୍ଥୀ କୃତକାର୍ଯ୍ୟ |

Spread the love

 ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ-୨୦୨୪ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ ୨୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୮ ଜଣ ମହିଳା ଅଛନ୍ତି। କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ବର୍ଗର ୫୦ (୨୧ ମହିଳା), ଅନୁସୂଚିତ ଜାତି ବର୍ଗର ୪୫ (୧୬ ମହିଳା), ଏସ୍ଇବିସି ବର୍ଗର ୩୫ (୧୧ ମହିଳା) ଓ ଅଣସଂରକ୍ଷିତ ବର୍ଗରେ ୭୦ (୩୦ ମହିଳା) ଜଣ ଅଛନ୍ତି।ବୁବୁନ ସାହୁ ଟପର୍ ହୋଇଥିବା ବେଳେ ଶୋଭନା ମହାନ୍ତି ଦ୍ବିତୀୟ ଓ ଜିତାମିତ୍ର ସାହୁ ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଓପିଏସ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୪ ଡିସେମ୍ବର ୩୧ରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୮୫ ହଜାର ୨୨୩ ଜଣ ଆବେଦନ କରିଥିବା ବେଳେ ୩୫ ହଜାର ୧୬୫ ଜଣ ପ୍ରିଲିମନାରି ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ୨୪୦୫ ଜଣ କୃତକାର୍ଯ୍ୟ ହୋଇ ମୁଖ୍ୟ ଲିଖିତ ପରୀକ୍ଷା ଦେଇଥିଲେ। ସେଥିରେ କୃତକାର୍ଯ୍ୟ ୩୮୫ ଜଣଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ମନୋନୀତ କରାଯାଇଥିଲା। ମେ’ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ କଟକସ୍ଥିତ ଓପିଏସ୍ସି ମୁଖ୍ୟ କାର୍ଯ୍ୟାଳୟରେ ସାକ୍ଷାତକାର ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ଚୟନ କରାଯାଇ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ଚଳିତ ବର୍ଷ ଏହି ପରୀକ୍ଷା ଆରମ୍ଭ ଓ ଶେଷ ପ୍ରକ୍ରିୟା ୧୭ ମାସ ମଧ୍ୟରେ ସଂପନ୍ନ ହୋଇଛି। ପୂର୍ବରୁ ଓପିଏସ୍ସି ପରୀକ୍ଷା କାର୍ଯ୍ୟସୂଚୀ ପ୍ରାର୍ଥୀଙ୍କ ପାଇଁ ସମସ୍ୟା କରୁଥିବା ବେଳେ ଚଳିତ ବର୍ଷ ଏହି ସମସ୍ୟାକୁ ଦୂର କରି ପରୀକ୍ଷା କାର୍ଯ୍ୟନିର୍ଘଣ୍ଟ ଓ ପରୀକ୍ଷାଫଳ ପ୍ରକାଶ କରାଯାଇପାରିଛି ବୋଲି ଓପିଏସ୍ସିର ଅତିରିକ୍ତ ସଚିବ ସତ୍ୟବ୍ରତ ରାଏ ସୂଚନା ଦେଇଛନ୍ତି।

error: Content is protected !!