ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥତା, ସାଂଗଠନିକ କାର୍ଯ୍ୟରେ ଅନାଗ୍ରହ ଓ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ମାମଲାତି ଏବେ ତାଙ୍କ ଦଳକୁ ବିଭାଜନ ଆଡ଼େ ଟାଣିନେଇଛି । ଦଳର ୨୪ବର୍ଷର ସରକାର ପତନରେ ପ୍ରମୁଖ ଭୂମିକା ନେବା ସତ୍ତ୍ୱେ ପାଣ୍ଡିଆନ ନିଜର ହାକିମାତି ଜାରି ରଖିଥିବାରୁ ବିଜେଡିରେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ଗତକାଲି ବରିଷ୍ଠ ନେତା ତଥାଗତ ସତପଥୀ ଏବଂ ଆଜି ଅମର ଶତପଥୀ ଓ ପଂଚାନନ କାନୁନଗୋଙ୍କ ମନ୍ତବ୍ୟ ପରେ ରାଜ୍ୟରେ ଆଂଚଳିକ ଦଳ ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଏକରକମ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ବିଜେଡି ବ୍ୟତୀତ ଅନ୍ୟ କୌଣସି ଆଂଚଳିକ ଦଳ ଓଡ଼ିଶାରେ ସଫଳ ହୋଇନି ବୋଲି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ।
—ନୂଆ ଆଂଚଳିକ ଦଳ ଗଠନର ସମ୍ଭାବନା—
ବିଜେଡିରେ ନବୀନଙ୍କ ନିରବତା ଓ ପାଣ୍ଡିଆନଙ୍କ ହାକିମାତି ଯୋଗୁ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁ ପାଣ୍ଡିଆନ ଓ ତାଙ୍କ ଟିମ୍ ଯୋଗୁ ଦଳକୁ ୨୪ବର୍ଷ ପରେ କ୍ଷମତାଚ୍ୟୁତ ହେବାକୁ ପଡ଼ିଲା, ସେମାନେ ଏବେବି ଦଳରେ ହାକିମାତି ଜାହିର କରୁଥିବାରୁ ବରିଷ୍ଠ ନେତାମାନେ ନିଜକୁ ଅଣନିଶ୍ୱାସୀ ମନେ କରିବାରେ ଲାଗିଛନ୍ତି । ଯେଉଁଥିପାଇଁ ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ନେତା ଏନ ଭାସ୍କରରାଓ ଓ ଲାଲବିହାରୀ ହିମିରିକାଙ୍କ ସମେତ ୪୦ରୁ ଅଧିକ ଆଗାଧାଡ଼ିର ନେତା ବିଜେଡି ଛାଡ଼ିଛନ୍ତି । ରାଜ୍ୟତମାମ ବିଭିନ୍ନ ଜିଲ୍ଲାରେ ମଧ୍ୟ ନିର୍ବାଚିତ ଜନପ୍ରତିନିଧିମାନେ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ଆଉ ଏସବୁ ମଧ୍ୟରେ ବିଜେଡିର ଦୁଇ ପୂର୍ବତନ ବରିଷ୍ଠ ନେତା ଅମର ସତପଥୀ ଓ ଅମର ଶତପଥୀଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ଉଭୟ ନେତା ଓଡ଼ିଶାରେ ବିଜେଡି ନୂଆ ରୂପରେ ଆସୁଥିବାର ସଙ୍କେତ ଦେଇଛନ୍ତି ।
—କ’ଣ କହିଲେ ଅମର ଓ ପଂଚାନନ—
ବିଜେଡି ନୂଆ ନାମ,ରୂପ ଓ ଆକାରରେ ଆସିବାର ସମ୍ଭାବନା ରହିଛି ବୋଲି ଗତକାଲି ବରିଷ୍ଠ ନେତା ତଥାଗତ ସତପଥୀ କହିବା ପରେ ଆଜି ତାକୁ ସମର୍ଥନ କରିଛନ୍ତି ଅମର ଶତପଥୀ । ସେ କହିଛନ୍ତି ଯେ, ବିଜେଡି ନୂଆ ଭାବେ ଗଢ଼ି ଉଠିବ । ବିଜେଡ଼ି ଲୋକେ ହିଁ ନୂଆ ବିଜେଡ଼ି ଗଠନ କରିବେ । ଲୋକ ଓ କର୍ମୀଙ୍କ ଠାରୁ ବର୍ତ୍ତମାନର ବିଜେଡ଼ି ଦୂରେଇ ଯାଉଛି । ଏବେ ବିଜେଡିରେ ଯାହା ଘଟୁଛି, ନିର୍ଦ୍ଦିିଷ୍ଟ ନୀତି ଓ ବିଚାରଧାରାରେ ଦଳ ନଚାଲିଲେ ଆଗକୁ ଆହୁରି ନେତା ଓ କର୍ମୀ ଦୂରେଇ ଯିବେ । ବିଜେଡ଼ିରେ କିଏ ହେବେ ଏକନାଥ ସିନ୍ଧେ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, “ ଏବେ ସିଏ ଗୋପରେ ବଢ଼ୁଛି କି ମଥୁରାକୁ ଆସିଗଲେଣି ତାହା ପରବର୍ତ୍ତୀ କଥା । । ଭାସ୍କର ରାଓଙ୍କ ଭଳି ଜଣେ ଟାଣୁଆ ନେତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ଶ୍ରୀ ଶତପଥୀ ଶୁଭେଚ୍ଛା ଜଣାଇବା ସହ ବିଜେଡିରେ ଆଭ୍ୟନ୍ତରୀଣ ସଂଘର୍ଷ ବଢ଼ିବାର ଆଶଙ୍କା ଭବିଷ୍ୟତରେ ଥିବା କହିଛନ୍ତି ।
ସେହିପରି ବରିଷ୍ଠ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ, “ନବୀନ ପଟ୍ଟନାୟକ ବିଗତ କିଛିବର୍ଷ ଧରି ବିଜେପି ପାଖରେ ଆତ୍ମସର୍ମପଣ କରିଦେଇଛନ୍ତି । ଗତ ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସ୍ପଷ୍ଟ ବି ହୋଇଗଲା । ବିଜେଡିର କିଛି ଯୁବକ ଆସିଥିଲେ,ସେମାନେ ମୋ’ଠାରୁ ବିଜେଡିର ସମ୍ବିଧାନର ଜେରକ୍ସ କପି ନେଇ କରି ଯାଇଛନ୍ତି । ସେମାନେ ନୂଆ ଆଂଚଳିକ ଦଳ ଗଢ଼ିବାର ସମ୍ଭାବନା ରହିଛି । ତେବେ ଏହି ନୂଆ ଦଳ ଗଠନ ହେଲେ କଂଗ୍ରେସକୁ ଫରକ ପଡ଼ିବ ନାହିଁ । ବରଂ ବିଜେପି ଓ ବିଜେଡି ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।
ଗତକାଲି ବିଜେଡିର ପୂର୍ବତନ ସାଂସଦ ତଥାଗତ ସତପଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ବିଜେଡ଼ି ଓଡ଼ିଆ ଲୋକଙ୍କର ଦଳ, କାହା ପୈତୃକ ସମ୍ପତ୍ତି ନୁହେଁ । ବିଜେଡ଼ି ନୂଆ ନାମ, ନୂଆ ରୂପ ଓ ନୂଆ ଆକାରରେ ଆସିବାର ସମ୍ଭାବନା ଅଛି । କଂଗ୍ରେସକୁ ଓଡ଼ିଶା ଲୋକ ଚାହୁଁନାହାନ୍ତି । କିଏ ଆସିବ ସିଏ ଗୋପରେ ବଢ଼ୁଛି । ଯେତେବେଳେ ଓଡ଼ିଶାବାସୀ ସୁଯୋଗ ପାଇଛନ୍ତି ସେତେବେଳେ ଆଂଚଳିକ ଦଳକୁ ସମର୍ଥନ କରି ଆସିଛନ୍ତି । ସବୁ ଜିନିଷର ଏକ୍ସପାରୀ ଡେଟ୍ ଥାଏ । ପ୍ରତି ଔଷଧ ଓ ରାଜନୈତିକ ଚିନ୍ତାଧାରାର ଏକ୍ସପାରୀ ଡେଟ୍ ଥାଏ । ଠିକ୍ ସେମିତି ବିଜେଡ଼ିର ବି ଏକ୍ସପାରୀ ଡେଟ୍ ପଳେଇଲାଣି ।
—ବିଜେଡିର ଖଣ୍ଡନ, କହିଲା ସଫଳ ହେବେନି—
ରାଜ୍ୟରେ ନୂଆ ଦଳ ଗଠନକୁ ନେଇ ଅଙ୍କକଷା ଓ ବରିଷ୍ଠ ନେତାମାନଙ୍କ ବୟାନବାଜି ମଧ୍ୟରେ ବିଜେଡି ନେତା ପ୍ରତାପ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡ଼ିକୁ ଛାଡ଼ି ଓଡ଼ିଶାରେ କୌଣସି ଆଂଚଳିକ ଦଳ ସଫଳ ହୋଇନାହିଁ । ପୂର୍ବରୁ ଅନେକ ଆଂଚଳିକ ଦଳ ଗଠନ ହୋଇଛି । ଅମର ବାବୁ ମଧ୍ୟ ଓଜିପି ଭଳି ଆଂଚଳିକ ଦଳରେ ଥିଲେ, ହେଲେ ତା’ର ଅବସ୍ଥା କ’ଣ ହେଲା ସମସ୍ତେ ଜାଣନ୍ତି । ବିଜେଡ଼ିକୁ ଛାଡ଼ି ବିଜୁଙ୍କ ନାମରେ ଯାହା ବି ସଂଗଠନ ହୋଇଛି ସେସବୁ ଜାଲ୍ ବୋଲି ଶ୍ରୀ ଜେନା କହିଛନ୍ତି । ତେବେ ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ଓ ବୟାନବାଜି ଯେଭଳି ବଢ଼ିବାରେ ଲାଗିଛି ତାକୁ ନିୟନ୍ତ୍ରଣ କରିବା ଦଳ ପକ୍ଷରେ ଆଉ ସହଜ ଭଳି ପ୍ରତୀତ ହେଉନଥିବା ଜଣାପଡ଼ିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…