February 22, 2026

Now Odisha

Now Odisha

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

Spread the love

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସ୍ପେଶାଲ ବିଚାରପତି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଟିମ ୩ ଟି ସ୍ଥାନରେ ଚଢ଼ାଉ କରିଥିଲା।

ଏହି ସମୟରେ ଭବାନୀପାଟଣା ହିଲ ଟାଉନରେ ଥିବା ୫୩ ଶହ ବର୍ଗଫୁଟର ବହୁତଳ କୋଠା ଯାହାର ମୂଲ୍ୟ ୧ କୋଟି ୩୬ ଲକ୍ଷ, ଭବାନୀପାଟଣା ସହର ମଧ୍ୟରେ ଦାମୀମୂଲ୍ୟର ୯ଟି ପ୍ଳଟ, ୪୭୦ ଗ୍ରାମ ସୁନା, ୩୫୦ ଗ୍ରାମ ରୁପା, ୪ ଟି ହାର୍ଭେଷ୍ଟର (ଧାନ କଟା ମେସିନ), ଗୋଟିଏ ଚାରିଚକିଆ ଗାଡି ମୂଲ୍ୟ (୧୨ ଲକ୍ଷ),ଗୋଟିଏ ଟିପର ଓ ହାଇୱା, ୪ଟି ବେନାମୀ ଟ୍ରାକ୍ଟର ଓ ବୁଲେରୋ ସମେତ,ବ୍ୟାଙ୍କ ପୋଷ୍ଟାଲ, ଜୀବନ ବୀମା ଜମା (ଯାହାର ମୂଲ୍ୟ ୩୪.୮ ଲକ୍ଷ) ଓ ତାଙ୍କ ପରିବାର ବର୍ଗଙ୍କ ଠାରୁ ୧୧.୧୫ ଲକ୍ଷ ଟଙ୍କା ନଗଦ ମିଳିଥିଲା।ସେହିପରି ଭବାନୀପାଟଣା ସେଣ୍ଟ୍ରାଲ ବ୍ୟାଙ୍କରେ ତାଙ୍କ ନାମରେ ଏକ ଲକର ଖୋଲା ଯାଇଥିବା ଓ ଏହାକୁ ସେ ପରିଚାଳନା କରୁଥିବା ଭିଜିଲାନ୍ସ ବିଭାଗ ଜାଣି ପାରିଥିଲା। ତାଙ୍କ ଆୟରୁ ସେ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି ଠୁଳ କରିଥିବା ସହ ଜବତ ପରିମାଣର ସମ୍ପତ୍ତି ପ୍ରାୟ ୪ କୋଟି ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାକୁ ନେଇ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା ନଂ(୨/୨୦୨୬)ରୁଜୁ ହୋଇଛି।
ସେହିପରି ସମ୍ପୃକ୍ତ ଫରେଷ୍ଟର ବେହେରାଙ୍କୁ ଗିରଫ କରି ଭିଜିଲାନ୍ସ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ତେବେ ଜାମିନ ମଞ୍ଜୁର ନ ହେବାରୁ ଫରେଷ୍ଟର ବେହେରାଙ୍କୁ ଜେଲ ଯିବାକୁ ପଡିଛି।

ଏ ନେଇ ଭବାନୀପାଟଣା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କୋରାପୁଟ ଡିଭିଜନର ଭିଜିଲାନ୍ସ ଏସପି ରବୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏହି ସମୟରେ ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦ, ସଦାନନ୍ଦ ପାଣି, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ପ୍ରକାଶ ଯେ ,ଗତ ୨୦୦୦ ମସିହା ଅଗଷ୍ଟ ମାସ ୨୦ ତାରିଖରେ ଫରେଷ୍ଟର ବେହେରା କଳାହାଣ୍ଡି ଉତ୍ତର ବନଖଣ୍ଡ ରେ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ପାଇଥିଲେ। ସେହି ସମୟରେ ତାଙ୍କ ଦରମା ମାତ୍ର ୩ ହଜାର ରହିଥିଲା। ତେବେ ଚାକିରିର ୨୫ ବର୍ଷ ପରେ ଫରେଷ୍ଟର ବେହେରା ଏତେ ସମ୍ପତ୍ତି କେମିତି ଠୁଳ କଲେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

error: Content is protected !!