February 24, 2026

Now Odisha

Now Odisha

ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ: ବଡ଼ପଡ଼ିଆ ପରିବା ମାର୍କେଟ୍‌ର ୫୦ ଦୋକାନ ପାଉଁଶ |

Spread the love

ଜଗତସିଂହପୁର: ଶନିବାର ରାତି ପ୍ରାୟ ୨ଟା। ନିଦରେ ଶୋଇଥିଲା ପୂରାପାରାଦୀପସହର। ହଠାତ୍ ପରିବା ମାର୍କେଟରେ ନିଆଁ ଲାଗିଯାଇଥିଲା। ଖବର ପ୍ରଚାରିତ ହେବା ପରେ ଆରମ୍ଭ ହୋଇଯାଇଥିଲା ଧାଁ ଦୌଡ଼। ଯିଏ ଦୋକାନ ଭିତରେ ଶୋଇଥିଲେ ସେ ବାହାରକୁ ଦୌଡ଼ିଥିଲେ। ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦ଗୋଟି ଦୋକାନ ଜଳିଯାଇଛି। ଖବର ପାଇ କୁଜଙ୍ଗ ଅଗ୍ନିଶମ କେନ୍ଦ୍ର, ପାରାଦୀପ ବନ୍ଦର, ଇଫ୍କୋ, ପିପିଏଲ୍, ଏଏମ୍ଏନ୍ଏସ୍ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁଲିଭାରେ ନିୟୋଜିତ ହୋଇଥିଲେ। ଦୋକାନରେ ଥିବା ଟଙ୍କା, ପନିପରିବା, ଡିଜିଟାଲ୍ ଓଜନ ମେସିନ୍, ଗୋଟିଏ ବାଇକ୍, ୪/୫ ସାଇକଲ୍ ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ସାଢ଼େ ୪ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଥିବା କୁହାଯାଉଛି। ପାରାଦୀପ ପୌରାଞ୍ଚଳ ବାସିନ୍ଦା ଏହି ପରିବା ମାର୍କେଟ ଉପରେ ନିର୍ଭରଶୀଳ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମଶାଧୂପ କିମ୍ବା ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଏହିଭଳି ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ପୋଡ଼ିଯାଇଥିଲା। ଏଠାରେ ଭେଣ୍ଡିଂ ଜୋନ୍ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଥିଲେ ବି ଏପର୍ଯ୍ୟନ୍ତ ତାହା କରାଯାଇ ନାହିଁ। ଅଗ୍ନିକାଣ୍ଡ ଖବର ପାଇ ଆଜି ସକାଳେ ସ୍ଥାନୀୟ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସାଂସଦ ବିଭୁପ୍ରସାଦ ତରାଇ, ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଗାମୀ ଦିନରେ ସ୍ଥାୟୀ ପ୍ରତିକାର କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

error: Content is protected !!