ଫୁଲବାଣୀ/ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତ ସୋରଡ଼ା ମଧ୍ୟବର୍ତ୍ତୀ କରଡ଼ା-ଗୋଛା ଜଙ୍ଗଲ ମଧ୍ୟରେ ଆଜି ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟପଟୁ ଗୁଳି ବିନିମୟ ଜାରି ରହିଥିବା ବେଳେ ପୁଲିସ ଏନ୍କାଉଣ୍ଟର୍ରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ତେବେ ମୃତ ମାଓବାଦୀଙ୍କ ପରିଚୟ ଏଯାବତ୍ ହସ୍ତଗତ ହୋଇ ନଥିବା ସହ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।ଖବର ଲେଖାଯିବା ସୁଦ୍ଧା ସିଆର୍ପିଏଫ୍, ବିଏସ୍ଏଫ୍ ଏବଂ ଏସ୍ଓଜି ଯବାନ କରଡ଼ା ଓ ଗୋଛା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରଖିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। କେକେବିଏନ୍ ମାଓ ଡିଭିଜିନ୍ର କିଛି ମାଓବାଦୀ କରଡ଼ା ଜଙ୍ଗଲରେ ଠୁଳ ହୋଇଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଯବାନ ସେଠାରେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।କେନ୍ଦ୍ର ସରକାର ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶକୁ ମାଓମୁକ୍ତ କରିବାକୁ ଆହ୍ବାନ ଦେଇଥିବା ବେଳେ ପୁଲିସ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନକୁ ଜୋର୍ଦାର କରିଛି। ଗତ ଡିସେମ୍ବର ମାସ ୨୪ ଓ ୨୫ରେ ଚକାପାଦ ଥାନା ଅନ୍ତର୍ଗତ କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ରାଣିକିଆରି ଓ ଭାଲିଙ୍ଗିଆ ଜଙ୍ଗଲ ଏବଂ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ କେକେବିଏନ୍ ମାଓ ଡିଭିଜନ୍ର କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ସମେତ ଆଉ କିଛି ମାଓବାଦୀ ନିହତ ହୋଇଥିଲେ। ଏହି ଅପରେସନ୍ ଫଳରେ ପୁଲିସର ମନୋବଳ ବୃଦ୍ଧି ପାଇଥିଲା। ଏହି ଘଟଣା ପରେ ଚଳିତମାସ ୬ରେ ୪ ଜଣ ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |