୨୦ ବେଳକୁ ଆଉ ଏକ ଲଘୁଚାପ !
ଭୁବନେଶ୍ବର : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସେପ୍ଟେମ୍ବର ୧୫ରୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବ। ପଶ୍ଚିମ ରାଜସ୍ଥାନ ଅଞ୍ଚଳରୁ ମୌସୁମୀ ବାୟୁ ଫେରିଯିବା ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ୨୦୨୪ରେ ମୌସୁମୀ ବାୟୁ ସେପ୍ଟେମ୍ବର ୧୭ରୁ ଦେଶ ଛାଡ଼ିଥିଲା। ଅକ୍ଟୋବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ ଦେଶ ଛାଡ଼ି ଦେଇଥିଲା। ଚଳିତ ବର୍ଷ ମୌସୁମୀ ବାୟୁ ମେ’ ୨୪ରେ କେରଳ ଛୁଇଁଥିଲା। ଏହାର ସ୍ବାଭାବିକ ତାରିଖ ଜୁନ୍ ପହିଲା ରହିଛି, ଅର୍ଥାତ ଗୋଟିଏ ସପ୍ତାହ ଆଗୁଆ ମୌସୁମୀ ବାୟୁ ଆସିଥିଲା ଏବଂ ଗତବର୍ଷ ଅପେକ୍ଷା ଦୁଇଦିନ ଆଗୁଆ ଦେଶ ଛାଡୁଥିବା ଜଣାପଡ଼ିଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ଦୁଇଦିନରେ ଦକ୍ଷିଣ ଓଡ଼ିଶା ଏବଂ ତତ୍ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଆଡ଼କୁ ମୁହାଁଇବ। ଲଘୁଚାପ ପ୍ରଭାବରେ ଭୁବନେଶ୍ବର, କଟକ, ପୁରୀ, ତାଳଚେର, ମାଲକାନଗିରି, ରାୟଗଡ଼ା, ଭଦ୍ରକ ଆଦି ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ବଜ୍ରପାତ ପାଇଁ ସତର୍କତା ଜାରି ହୋଇଛି। ଅନ୍ୟପଟେ ୨୦ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ