March 12, 2026

Now Odisha

Now Odisha

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ କ୍ୱାଟର ଗୁଡିକ ଭୁତକୋଠି ପାଲଟିଗଲାଣି : ମରାମତି ପାଇଁ ଦାବୀ

Spread the love

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା କର୍ମଚାରୀ ଆବାସ ଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି | ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ଦିନ ଧରି ଏହି କ୍ୱାଟର ଗୁଡ଼ିକ ରକ୍ଷଣବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ରହିବା ପାଇଁ ଘର ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି |ସୂଚନା ଅନୁଯାୟୀ, ଏହି ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଡାକ୍ତର, ନର୍ସ, ଏନ.ଆର.ଏଚ.ଏମ.କର୍ମଚାରୀ, ଆଉଟସୋର୍ସିଂ ଷ୍ଟାଫ୍ ଏବଂ ସୁରକ୍ଷା କର୍ମୀଙ୍କୁ ମିଶାଇ ପ୍ରାୟ ୮୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି | ସେହିପରି ଟିକାବାଲି ଅଧୀନରେ ଥିବା ଗାର୍ଡିଙ୍ଗିଆ, ପାବୁରିଆ ଓ ଗୁଟିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ମିଶାଇଲେ ଏହି ସଂଖ୍ୟା ୧୨୦ ରୁ ଉର୍ଦ୍ଧ୍ୱ ହେବ | ଏତେ ସଂଖ୍ୟକ କର୍ମଚାରୀଙ୍କ ପାଇଁ ସରକାରୀ ଆବାସର ଆବଶ୍ୟକତା ଥିବା ବେଳେ, ପରିସର ମଧ୍ୟରେ ଥିବା ପୁରୁଣା କ୍ୱାଟରଗୁଡ଼ିକ କାହିଁକି ମରାମତି କରାଯାଉ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଅଧିକାଂଶ କର୍ମଚାରୀ ବାଧ୍ୟ ହୋଇ ବାହାରେ ମହଙ୍ଗା ଦରରେ ଭଡ଼ା ଘର ନେଇ ରହୁଛନ୍ତି | ଏହା ଦ୍ୱାରା ସେମାନେ ଆର୍ଥିକ ଶୋଷଣର ଶିକାର ହେବା ସହ ଜରୁରୀକାଳୀନ ସମୟରେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା କଷ୍ଟକର ହୋଇପଡୁଛି | ଫଳରେ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହୁଛି | ଏହି ଅବ୍ୟବହୃତ କୋଠାଗୁଡ଼ିକର କାନ୍ଥ ଓ ଛାତର ପ୍ଲାଷ୍ଟର ଖସିଲାଣି, କବାଟ ଝରକା ଭାଙ୍ଗି ନଷ୍ଟ ହେବାକୁ ବସିଲାଣି | ୧୦ରୁ ଉର୍ଦ୍ଧ ଦିନ ଧରି ବ୍ୟବହାର ନହେବା ଫଳରେ ଏହା ସାପ ଓ ଅନ୍ୟାନ୍ୟ ବିଷଧର ଜୀବଜନ୍ତୁଙ୍କ ବାସସ୍ଥଳୀ ପାଲଟିଗଲାଣି | ସ୍ୱାସ୍ଥ୍ୟ କେନ୍ଦ୍ର ପରି ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ଏହି ଜରାଜୀର୍ଣ୍ଣ କୋଠାଗୁଡ଼ିକ କେବଳ ପରିବେଶ ନଷ୍ଟ କରୁନାହିଁ, ବରଂ ଏହା ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ବିପଦ ମଧ୍ୟ ସୃଷ୍ଟି କରୁଛି | ସରକାର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ଓ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଟିକାବାଲିର ଏହି ଗମ୍ଭୀର ସମସ୍ୟା କିଭଳି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସୁନାହିଁ, ତାହା ଆଶ୍ଚର୍ଯ୍ୟଜନକ | ୧୨୦ ରୁ ଅଧିକ କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପରିତ୍ୟକ୍ତ କ୍ୱାଟରଗୁଡ଼ିକୁ ତୁରନ୍ତ ନବୀକରଣ କରାଯିବା କିମ୍ବା ସେଠାରେ ନୂତନ କର୍ମଚାରୀ ଆବାସ ନିର୍ମାଣ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ କର୍ମଚାରୀ ମହଲରେ ଦାବି ଜୋର ଧରିଛି |

error: Content is protected !!