March 14, 2026

Now Odisha

Now Odisha

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

Spread the love

ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା କେନ୍ଦ୍ର ମାଲିକଙ୍କୁ ଗିରଫ କରିଛି।ସୂଚନା ଅନୁସାରେ, ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ (DLSA) ର ଜଣେ ପିଏଲଭି ସରୋଜ ବାଗଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ଟାଉନଥାନା କେସ୍‌ ନମ୍ବର ୯୦/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ମୁଦିପଡ଼ା ଆମ୍ବେଦକରନଗର ଅଞ୍ଚଳର ଆୟୁବ ଖାନ(୩୨) ନାମକ ଜଣେ ବ୍ୟକ୍ତି ପୀରବାବା ଛକ ନିକଟରେ ‘ଆୟସା କମ୍ୟୁନିକେଶନ’ ନାମକ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ଶନିବାର ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଲୋକ ଅଦାଲତରେ ଲୋକଙ୍କ ସମସ୍ୟାର ସମାଧାନ କରିଦେବାକୁ ପ୍ରତିଶ୍ରୁତି ଦେଇ ସେ ବ୍ୟକ୍ତିପିଛା ୧୦୦ ଟଙ୍କା ଲେଖାଏ ଆଦାୟ କରୁଥିଲେ। ସମ୍ବଲପୁର ଟିଭିର ଶ୍ୟାମଳ ନାମକ ଜଣେ ବ୍ୟକ୍ତି ଏହି ମିଥ୍ୟା ସୂଚନାକୁ ପ୍ରସାର କରିବା ଫଳରେ ଏହାକୁ ସତ ମାନି ପ୍ରାୟ ଶହେରୁ ଅଧିକ ଲୋକ ଠକାମିର ଶିକାର ହୋଇଛନ୍ତି। ସମ୍ବଲପୁର ସଦର ଏସ୍‌ଡିପିଓ ତୋଫାନ ବାଗ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କ ନିକଟରୁ ଏକ ଲ୍ୟାପ୍‌ଟପ, ପ୍ରିଣ୍ଟର, ମୋବାଇଲ ସହ ୮୮ଟି ଆଧାର କାର୍ଡ ଓ ଡିଏଲଏସଏ ଫର୍ମ ଜବତ କରାଯାଇଛି। ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

error: Content is protected !!