ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିଲା ଭଳି ମନେ ହେଉଛି। ଏହାର ଜ୍ବଳନ୍ତ ଉଦାହରଣ ଆଜି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ପରିବାର ସହ ମାଉସୀ ଘରକୁ ଯାଉଥିବା ବେଳେ ରାସ୍ତା ମଝିରୁ ଜଣେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ବଳ ପୂର୍ବକ ଉଠାଇଛନ୍ତି।ସୂଚନା ଅନୁସାରେ ଆର୍ ଉଦୟଗିରି ଅଞ୍ଚଳରେ ଜଣେ ଯୁବତୀ ନିଜ ପରିବାର ଲୋକଙ୍କ ସହିତ ମାଉସୀ ଘରକୁ ଯାଉଥିଲେ। ମାଉସୀ ଘରେ ଯୁବତୀ ପହଞ୍ଚିବା ପୂର୍ବରୁ ମଝି ରାସ୍ତାରେ ଅପହରଣ ହୋଇଛନ୍ତି। ବୋଲେରୋରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ବଳପୂର୍ବକ ଉଠାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।
ଆର ଉଦୟଗିରି ଥାନା ଅନ୍ତର୍ଗତ କାନକଟା ରାସ୍ତାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଛି। ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହେବା ପରେ ପ୍ରେମ ସମ୍ପର୍କରେ ଥିବା ଯୁବକ ତାଙ୍କୁ ଉଠାଇ ନେଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଯୁବତୀଙ୍କୁ କେଉଁଠାରେ ରଖାଯାଇଛି, ସେନେଇ ତଦନ୍ତ ଜାରି ରହିଛି। ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଆର୍. ଉଦୟଗିରି ଥାନା ଅଧିକାରିଣୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି।
