ଘର ଭାଙ୍ଗିବାକୁ କେନ୍ଦ୍ରକରି ଉତ୍ତେଜନା। ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ରୋକିବାକୁ ଯାଇ ପୁଲିସ ଆକ୍ରମଣର ଶିକାର ହୋଇଛି। ଏଥିରେ ଗଡ଼ିଶାଗୋଦା ଥାନା ଆଇଆଇସି ଦିଲୀପ କୁମାର ଧଳଙ୍କ ସମେତ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ୪ ଜଣ ମହିଳାଙ୍କ ସମେତ ୯ ଜଣଙ୍କୁ ଧରିଛି।ସୂଚନା ଅନୁଯାୟୀ, ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବଡ଼ଓରା ଗାଁରେ କିଛି ଲୋକ ଜଣଙ୍କ ଘର ଭାଙ୍ଗୁଥିବା ନେଇ ପୁଲିସ ଖବର ପାଇଥିଲା। ଆଇଆଇସି ଦିଲୀପ କୁମାର ଧଳଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘର ଭାଙ୍ଗିବାକୁ ବାରଣ କରିଥିଲା। ପୁଲିସ ସମ୍ପୃକ୍ତ ଲୋକଙ୍କୁ ଧରିବାକୁ ଉଦ୍ୟମ କରିବାରୁ ସେମାନେ ଘର ଭିତରକୁ ପଶିଯାଇଥିଲେ। ପରେ ପୁଲିସ ସେମାନଙ୍କୁ ବାହାରକୁ ଆଣିବା ସମୟରେ ଡାକୁ ନାମକ ଜଣେ ବ୍ୟକ୍ତି ସାଇକେଲ ଓ ଲୁହା ସାମଗ୍ରୀ ଫିଙ୍ଗି ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଆଇଆଇସି ଶ୍ରୀ ଧଳଙ୍କ ସମେତ ଟିମ୍ର ଅନ୍ୟ ସଦସ୍ୟମାନେ ଆହତ ହୋଇଥିଲେ।ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ କୌଶଳ ଅବଲମ୍ବନ କରି ୪ ମହିଳାଙ୍କ ସମେତ ୯ ଜଣଙ୍କୁ ଧରିଥିଲା। ଏହି ଟିମ୍ରେ ଏସ୍ଆଇ ସରୋଜ ବେହେରା, ଏଏସ୍ଆଇ କପିଳ ସାହୁ, କନଷ୍ଟେବଳ ଦ୍ରୌପଦୀ ପ୍ରଧାନ ଓ ରୁନି ପ୍ରଧାନ, ପ୍ଲାଟୁନ୍ କମାଣ୍ଡାଣ୍ଟ କାମଦେବ ଏବଂ ଗୃହରକ୍ଷୀ ଅବନୀ ଓ ପ୍ରଭାତ ସାହୁ ସାମିଲ ଥିଲେ। ଘଟଣାକୁ ପୁଲିସ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି। ଘର ଭାଙ୍ଗିବା ପଛର କାରଣ, ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ଏବଂ ପୁଲିସ ଉପରେ ଆକ୍ରମଣର ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ।
