ଦଳୀୟ ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁକୁ ୮ଦିନ ନପୁରୁଣୁ ବିଜେଡି ନିଜର ପୁରୁଣା ଅବିଶ୍ୱସନୀୟ ଚିତ୍ର ଓ ଚରିତ୍ରକୁ ପଦାକୁ ଆଣିଛି । ଦଳର ଉପସଭାପତି ପ୍ରଣବପ୍ରକାଶ ଦାସ(ବବି) ମାତ୍ର ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ନୂଆପଡ଼ା ଗସ୍ତରେ ଯାଇ ଢ଼ୋଲକିଆଙ୍କ ପରିବାର ସଦସ୍ୟ ଓ ତାଙ୍କ ସମର୍ଥକଙ୍କୁ ଶାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ମାମଲାତି ଦେଖାଇ ସେଠାରେ ଦଳର ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇଥିବା ବିଜେଡି ରାଜନୀତିକୁ ଗୋଳିଆ କରିଥିବା ଚର୍ଚ୍ଚା ହେଉଛି । ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବବିଙ୍କ ଏଭଳି ମାମଲାତି ଓ ହୀନ ରାଜନୀତି ଯୋଗୁ ପୂର୍ବତନ ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର ଆଶାୟୀ ପ୍ରାର୍ଥୀ ଭାବେ ଉଭା ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା । ବବି କେଉଁ କ୍ଷମତା ବଳରେ ଓ କାହା ନିର୍ଦ୍ଦେଶରେ ନୂଆପଡ଼ା ଗସ୍ତରେ ଯାଇ ସେଠାରେ ମାମଲାତି କରି ଉପନିର୍ବାଚନ ପୂର୍ବରୁ ସାଂଗଠନିକ ଅଶାନ୍ତି ସୃଷ୍ଟି କରୁଛନ୍ତି ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି(ରାଜନୀତିକ ବ୍ୟାପାର କମିଟି) ଓ କୋର କମିଟି ଥାଇ ମଧ୍ୟ ବବି ପୁଣିଥରେ ଏଭଳି ମାମଲାତି କରି ସିଧାସଳଖ ଏହି ଦୁଇ କମିଟି ‘ଗୁରୁତ୍ୱହୀନ’ ବୋଲି ଦର୍ଶାଇବାକୁ ପ୍ରୟାସ କରିଥିବା ଚର୍ଚ୍ଚା ।(ସପ୍ତାହକ ଭିତରେ ୨ଥର ନୂଆପଡ଼ା ଗସ୍ତ)ବରିଷ୍ଠ ନେତା ଶ୍ରୀ ଢ଼ୋଲକିଆଙ୍କର ଗତ ୮ତାରିଖରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କିନ୍ତୁ ଏହି ସପ୍ତାହକ ମଧ୍ୟରେ ବବି ଦୁଇ ଦୁଇଥର ନୂଆପଡ଼ା ଗସ୍ତ କରିଛନ୍ତି । ଶ୍ରୀ ଢ଼ୋଲକିଆଙ୍କ ପାର୍ଥିବ ଶରୀରକୁ ଦଳ ପକ୍ଷରୁ ଶେଷ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱରରୁ ଯାଇଥିବା ଟିମରେ ବବି ସାମିଲ ହୋଇଥିଲେ । ଆଉ ଏହାର ୫ଦିନ ନପୁରୁଣୁ ପୁଣିଥରେ ନୂଆପଡ଼ା ଗସ୍ତରେ ଯାଇ ଗତକାଲି ଭୁବନେଶ୍ୱର ଫେରିଥିବା ସୂଚନା ମିଳିଛି । ଢ଼ୋଲକିଆଙ୍କ ଅନ୍ତିମ ସଂସ୍କାର ଓ ଶେଷଦର୍ଶନ କରିବାକୁ ନୂଆପଡ଼ା ଯାଇଥିବା ବବି ସେଠାରେ ଦଳର ହଜାର ହଜାର କର୍ମୀ(ଢ଼ୋଲକିଆଙ୍କ ସମର୍ଥକ)ଙ୍କୁ ଶାନ୍ତ୍ୱନା ଦେବା ପରିବର୍ତ୍ତେ ନିଜର ପୁରୁଣା ଗୋଟିଚାଳନା କରିଛନ୍ତି । ଢ଼ୋଲକିଆ ପରିବାରକୁ ଦଳୀୟ ଟିକେଟରୁ ବଂଚିତ କରିବା ଏବଂ ଅନ୍ୟଜଣେ ନେତାଙ୍କୁ ସମାନ୍ତରାଳ ଭାବେ ଆଗକୁ ଆଣି ଦଳୀୟ ଟିକେଟ୍ ରେସରେ ସାମିଲ କରାଇବା ପଛରେ ବବିଙ୍କ ଷଡ଼ଯନ୍ତ୍ର ରହିଥିବା ବିଜେଡି ମହଲରେ ଚର୍ଚ୍ଚା । ବବିଙ୍କ ଏଭଳି କାରନାମାକୁ ନେଇ ନୂଆପଡ଼ା ରାଜନୀତି ଏବେ ସରଗରମ ହୋଇଥିବା ସୂଚନା ମିଳିଛି । ତେବେ ବବିଙ୍କୁ ନୂଆପଡ଼ା ଯିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ଓ ସେ କେଉଁ କ୍ଷମତା ବଳରେ ନୂଆପଡ଼ା ଯାଇ ଏଭଳି ମାମଲାତି କରିଛନ୍ତି ତାହା ଏବେବି ସନ୍ଦେହଘେରରେ । admin September 17, 2025 Spread the love Post Views: 0 Continue Reading Previous: ଘଟିବାକୁ ଯାଉଛି ବିରଳ ମହାଜାଗତିକ ଘଟଣା: ପୃଥିବୀ ଆଡ଼କୁ ବଢ଼ୁଛି…Next: ଜନ୍ମଦିନରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ – କହିଲେ ଏହି କଥା… Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ