ଭୁବନେଶ୍ୱର,୧୭ା୯(ସତ୍ୟଜିତ୍ ରାଉତ): ନାବାଳିକା ଝିଅକୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାପା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ଭୁବନେଶ୍ୱର ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ ତଥା ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟ (ପୋକ୍ସୋ) ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ସୁଶାନ୍ତ ମଲ୍ଲିକଙ୍କୁ କୋର୍ଟ ଆଜୀବନ ଜେଲଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ୫ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ସରୋଜ କୁମାର ସାହୁ ରାୟରେ କହିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ପୀଡ଼ିତାଙ୍କ ମା’ ଓ ବାପା ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ମା’ ଘରୋଇ ସହାୟିକା ଭାବେ କାମ କରୁଥିବାବେଳେ ୨୦୧୯ ନଭେମ୍ବର ୧୭ ତାରିଖ ସକାଳେ କାମରୁ ଫେରି ସ୍ବାମୀଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ। ୧୩ ବର୍ଷର ଝିଅକୁ ଏନେଇ ପଚାରିବାରୁ ତାଙ୍କୁ ବାପା ବଳାତ୍କାର କରିଥିବା କହିଥିଲେ। ସୁଶାନ୍ତ ୧୧ ମାସ ଧରି ଏହି ଘୃଣ୍ୟ କାଣ୍ଡ ଭିଆଇଥିଲେ। ବାପାଙ୍କଠୁ ଧମକ ପାଇ ଭୟରେ ସେ ଘଟଣା ସମ୍ପର୍କରେ କିଛି କହୁ ନ ଥିଲେ। ଏନେଇ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଏତଲାକ୍ରମେ ମଞ୍ଚେଶ୍ୱର ଥାନା ପୋଲିସ ଏକ ମାମଲା (ନଂ. ୫୪୦/୨୦୧୯) ରୁଜୁ କରି ସୁଶାନ୍ତଙ୍କୁ ଗିରଫ କରିଥିଲା। କୋର୍ଟ ୧୧ଜଣଙ୍କ ସାକ୍ଷ୍ୟ ଓ ୧୦୪ଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ ରାୟ ଶୁଣାଇଥିଲେ। ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରାଜୀବ ସାସମଲ ଏବଂ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ବଳରାମ ଦେଓ ମାମଲା ପରିଚାଳନା କରୁଥିଲେ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |