ଭୁବନେଶ୍ୱର, ୨୦/୦୫: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ରାଜ୍ୟ ଯୋଗାଣ ନିଗମ ମିଳିତ ଆନୁକୂଲ୍ୟରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଲୋକସେବା ଭବନ କାନଭେନ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ।
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗାଣ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଥିଲେ । ନିକଟରେ ରନ୍ଧନ ଗ୍ୟାସର କଳାବାଜରୀ ରୋକିବାରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନେ ପ୍ରାୟ ୮ ହଜାର ଗ୍ୟାସ ସିଲିଣ୍ଡର ଜବତ କରିଥିଲେ । ସେହିଭଳି ପେଟ୍ରୋଲ-ଡିଜେଲ କଳାବଜାରୀ କରିଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖାଲି ସେତିକି ନୁହେଁ ଚାଷୀମାନଙ୍କଠାରୁ ଠିକଣା ସମୟରେ ସେମାନଙ୍କଠାରୁ ଧାନ ସଂଗ୍ରହ, ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ଯୋଗାଣ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ । ସେହିଭଳି ଖାଉଟିମାନଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଖାଉଟି ଫୋରମ୍କୁ କାର୍ଯ୍ୟକ୍ଷମ କରାଯାଇଛି । ପ୍ରତି ବ୍ଲକ୍ ଓ ଜିଲ୍ଲା ସ୍ତରରେ ଏହାକୁ ତ୍ୱରାନ୍ୱିତ କରାଯାଇପାରିଲେ ସାଧାରଣ ନାଗରିକ ବିଶେଷ ଭାବେ ଉପକୃତ ହୋଇପାରିବେ । ସେହିଭଳି ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ସଫଳ ରୂପାୟନ ଦିଗରେ ସେ ସମସ୍ତଙ୍କୁ ସହଯୋଗ ଲୋଡ଼ିଥିଲେ ।
ସେହିଭଳି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ନିଜ ଉଦ୍ବୋଧନରେ ସାଧାରଣ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ ଦ୍ୱାରା ଲୋକମାନଙ୍କ ନିକଟରେ ସରକାରଙ୍କ ଆଭିମୁଖ୍ୟ ପହଞ୍ଚିପାରିବ ବୋଲି ସେ ମତ ଦେଇଥିଲେ । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ଇ-କେୱାସି ୯୬ ପ୍ରତିଶତ ଶେଷ ହୋଇଛି । ଏହାକୁ ଶତପ୍ରତିଶତ କରିବା ପାଇଁ ସମସ୍ତଙ୍କର ପ୍ରଚେଷ୍ଟା ଜାରି ରଖିବାକୁ ସେ କହିଥିଲେ । ସେହିଭଳି ୧୪୪ଟି ସୁଲଭ ମୂଲ୍ୟ ଦୋକାନରେ ଶତପ୍ରତିଶତ ଇ-କେୱାସି ଯାଞ୍ଚ ଶେଷ ହୋଇଛି ଓ ବାକିଥିବା ଅନ୍ୟ ସୁଲଭ ମୂଲ୍ୟ ଦୋକାନରେ ଏହି ପ୍ରକ୍ରିୟା ଶତପ୍ରତିଶତ ଛୁଇଁବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେହିଭଳି ଗତ ଖରିଫ ଋତୁରେ ପ୍ରାୟ ୧୯ ଲକ୍ଷ ଚାଷୀମାନଙ୍କଠାରୁ ୭୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍ପୁଟ ସହାୟତା ବାବଦକୁ ପ୍ରାୟ ୨୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଭିନ୍ନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରେ ଉପଲବ୍ଧ କରାଇବାରେ ଯୋଗାଣ ଅଧିକାରୀମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ ।

More Stories
SIR ପାଇଁ କମିଟି ଗଠନ କଲା ବିଜେଡ଼ି|
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ |
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ