June 11, 2026

Now Odisha

Now Odisha

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

Spread the love

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ଟି ଘର ଭାଙ୍ଗିଯାଇଥିବା ବେଳେ ଅତିକମରେ ୭ଟି ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି, ଯାହାଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ବୁଧବାର ନନ୍ଦପୁରରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଏହି ଝଡ଼ବର୍ଷା ଆସିଥିଲା। ପବନର ବେଗ ଏତେ ପ୍ରଖର ଥିଲା ଯେ ବେପାରୀଙ୍କ ଦୋକାନ ଓ ସାମଗ୍ରୀ ଉଡ଼ାଇ ନେଇଛି। ରାଇସିଂ ହାଟ ପିଣ୍ଡିର ଟିଣ ଛପର ମଧ୍ୟ ଉଡ଼ିଯାଇଛି। ସେହିପରି ବାଡେଲ ଗ୍ରାମର ସାଧୁ ମୁଦୁଲିଙ୍କ ଦୋକାନ ଘରର ଟିଣ ଛପର ଉଡ଼ିଯିବାରୁ ଦୋକାନ ଭିତରେ ବର୍ଷା ପାଣି ପଶି ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି।

ଥୁବା ନେତାଜୀ ଉଚ୍ଚ ବିଦ୍ୟାଳୟ ପାର୍ଶ୍ୱରେ ରହୁଥିବା ଜଣେ ଶିକ୍ଷକଙ୍କ ଭଡ଼ା ଘର ଉପରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଘରର କାନ୍ଥ ଓ ଆଜବେଷ୍ଟସ ଛପର ଭାଙ୍ଗି ଯାଇଛି। ଫରେଷ୍ଟ ଅଫିସ ପରିସରରେ ଥିବା ଗଛ ଭାଙ୍ଗି ପାର୍ଶ୍ୱବର୍ତ୍ତୀ ଘରର ଟିଣ ଉଡ଼ି ରାସ୍ତା ଉପରେ ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ରାସ୍ତାରେ ଥିବା ଗାଡ଼ିମୋଟର କିମ୍ବା କାହାରି କିଛି କ୍ଷତି ହୋଇନାହିଁ। ପାଡୁଆ ଥାନା ଅଞ୍ଚଳରେ ମଧ୍ୟ ଏକ ଗଛ ଉପୁଡ଼ି ଜଣଙ୍କ ଘର ଭାଙ୍ଗି ଦେଇଛି।

କାଳବୈଶାଖୀ ପ୍ରକୋପରେ ବ୍ଲକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପୂର୍ବତନ ଜିଲ୍ଲା ବୋର୍ଡ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ଓ ଆହାର କେନ୍ଦ୍ର ନିକଟସ୍ଥ ହନୁମାନ ମନ୍ଦିରର ଛପର ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ବାହିରିପଡ଼ା ଗ୍ରାମର ଦୁଇଟି ପ୍ରବେଶ ପଥରେ ଦୁଇଟି ଗଛ ଉପୁଡ଼ି ପଡ଼ିଛି। MDR-55 ରାସ୍ତାର ସାତସମିଳୀ ଗ୍ରାମ ନିକଟରେ ଗଛ ପଡ଼ିବାରୁ ନନ୍ଦପୁର-ପାଡୁଆ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଥୁବା-ରାଇଶିଂ ସଂଯୋଗୀ ରାସ୍ତାରେ ଦୁଇଟି ଗଛ ଉପୁଡ଼ି ରାସ୍ତା ବନ୍ଦ ରହିଛି। ବିଲାପୁଟ ପଞ୍ଚାୟତର ସଗର ଜୋଲାପୁଟ ରାସ୍ତାରେ ମଧ୍ୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ପାଡୁଆ ଥାନା ସମ୍ମୁଖ ରାସ୍ତା ମଧ୍ୟ ଗଛ ପଡ଼ି ବନ୍ଦ ରହିଛି। କିଛି ବଡ଼ ଗଛ ବିଦ୍ୟୁତ୍ ଖୁଣ୍ଟ ଓ ତାର ଉପରେ ପଡ଼ିଥିବାରୁ ସମଗ୍ର ନନ୍ଦପୁର ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ନନ୍ଦପୁର ଅଗ୍ନିଶମ ବାହିନୀର କେନ୍ଦ୍ରାଧିକାରୀ (OIC) ହେମନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଅଗ୍ନିଶମ ସେବା କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଟର ସାହାଯ୍ୟରେ ଗଛଗୁଡ଼ିକୁ କାଟି ପର୍ଯ୍ୟାୟକ୍ରମେ ରାସ୍ତା ସଫା କରାଯାଉଛି। ରାତି ୮ଟା ସୁଦ୍ଧା ସମସ୍ତ ରାସ୍ତାରୁ ଅବରୋଧ ହଟାଇ ଦିଆଯିବ ବୋଲି ଓଆଇସି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ଅପରପକ୍ଷରେ, ନନ୍ଦପୁର ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କାଳବୈଶାଖୀ ଜନିତ କ୍ଷୟକ୍ଷତିର ଆକଳନ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରାଯାଉଥିବା ନେଇ ତହସିଲଦାର ଦେବବ୍ରତ ମହାରଣା ଜଣାଇଛନ୍ତି।

error: Content is protected !!