January 25, 2026

Now Odisha

Now Odisha

ପିଲାଙ୍କୁ ଭାତ ଡାଲମା, ଶିକ୍ଷକ ଖାଉଛନ୍ତି ମଟନ…

Spread the love

 
ଯୋଡ଼ା,୨୧ା୯: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଛତ୍ରୀଛାତ୍ରଙ୍କ ନିମନ୍ତେ ଭାତ, ଡାଲମା ରୋଷେଇ ହେଉଥିବା ବେଳେ ଶିକ୍ଷକଙ୍କ ନିମନ୍ତେ ମଟନ ରୋଷେଇ କରାଯାଉଛି। ବ୍ଲକ୍‌ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ପାଠପଢା ନେଇ ଗତ ୨ ଦିନ ଧରି ତଦାରଖ କରାଯାଇଛି। ପରିଦର୍ଶନ ସମୟରେ ସ୍କୁଲରେ ଅନେକ ଅବ୍ୟବସ୍ଥା ଦେଖିବା ସହ ଶିକ୍ଷକଙ୍କ ନିମେନ୍ତ ଚିକେନ ରୋଷେଇ ହେଉଥିବା ଯୋଡ଼ା ବ୍ଲକ୍‌ ଅଧ୍ୟକ୍ଷ କବୀନ୍ଦ୍ର ନାଏକ ଦେଖି ଉଦ୍‌ବେଗ ପ୍ରକାଶ କରିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଅଧ୍ୟକ୍ଷଙ୍କ ସହିତ ଯୋଡ଼ା ବିଡିଓ ଡେନିସ ବେହେରା ଓ ବିଭାଗୀୟ ଯନ୍ତ୍ରୀମାନେ ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଏହି ସମୟରେ ଦେଓଝର ପଞ୍ଚାୟତରେ ଥିବା ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ପାଠପଡ଼ା ନେଇ ପଚାରି ବୁଝିଥିଲେ। ପ୍ରଧାନ ଶିକ୍ଷକଙ୍କୁ ତାଙ୍କର ଶିକ୍ଷାଦାନ ବିଷୟ ନେଇ ପଚାରିବାରୁ କୌଣସି ସୂଚନା ଦେଇପାରି ନ ଥିଲେ। ସେହି ସମୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ପରସା ଯାଇଥିଲା। ମାତ୍ର ଶିକ୍ଷୟତ୍ରୀ, ଶିକ୍ଷକମାନେ ସ୍କୁଲ ପରିସରରେ ଚିକେନ ସହ ମଟନ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଏହା ଏକ ଅପରାଧ ବୋଲି କହି ଦୁଃଖ ପ୍ରକାଶ କରିବା ସହିତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ତାଗିଦା କରିଥିଲେ। ତଦାରଖ ସମୟରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ସ୍କୁଲ କମିଟି ସଭାପତି ଉପସ୍ଥିତ ଥିଲେ। ପାଠପଢ଼ାରେ ଅବ୍ୟବସ୍ଥା ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଦେଓଝର ପଞ୍ଚାୟତରେ ନିର୍ମାଣ କରାଯାଉଥିବା ହେଲ୍ପିଂ ସେଣ୍ଟର, ଗୋବର୍ଦ୍ଧନପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ତଦାରଖ କରିଥିଲେ। ସ୍କୁଲରେ ଛାତ୍ରୀଛାତ୍ର ଅନୁପସ୍ଥିତ ରହୁଥିବାରୁ ଅଭିଭାବକ ବୈଠକ ଡାକିବା ପାଇଁ ଶିକ୍ଷକଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥିସହ ବଳିତା ପ୍ରାଥମିକ ବିଦ୍ୟାଳୟ, ବିରିକଳା ପ୍ରାଥମିକ ବିଦ୍ୟାଳୟ, ଜୁଗୁଡିଧର ପ୍ରାଥମିକ ବିଦ୍ୟାଳୟ, ବଲାଣୀ ପ୍ରାଥମିକ ବିଦ୍ୟାଳୟ, କମର୍ଦା ପ୍ରାଥମିକ ବିଦ୍ୟାଳୟ ଆଦିରେ ତଦାରଖ କରି ଶିକ୍ଷକ ସମସ୍ୟା, ଗୃହ, ପାନୀୟ ଜଳ, ଶୌଚାଳୟ ଭଳିି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେହିଭଳି ଦେଓଝର, ବିରିକଳା, କଣ୍ଡରା, ଅଂଶେଇକଳା, ବଲାଣୀ, ବାଲାଗୋଡ଼ା, ସେରେଣ୍ଡା, ଭଦ୍ରାସାହି, କାରାଖେଣ୍ଡ୍ରା ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହ ଲୋକଙ୍କଠାରୁ ସମସ୍ୟା ପଚାରି ବୁଝିଥିଲେ। ଏହି ସମୟରେ ରାସ୍ତା, ପାର୍କ, ସୌନ୍ଦର୍ଯ୍ୟକରଣ କିପରି କରାଯିବ ସେନେଇ ଆଲୋଚନା କରାଯାଇଥିଲା। ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନ ସମସ୍ୟା, ଖେଳପଡ଼ିଆ, ଡ୍ରେନ୍‌ ନିର୍ମାଣନେଇ ଗ୍ରାମବାସୀ ଅଭିଯୋଗ କରିଥିବା ନେଇ ବ୍ଲକ୍‌ ଅଧ୍ୟକ୍ଷ ନାଏକ କହିଛନ୍ତି।

error: Content is protected !!